କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତିଙ୍କୁ ବିଭତ୍ସ ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲାରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟା କାଣ୍ଡ । ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତିଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରବୀଣଙ୍କୁ (32) ବିଭତ୍ସ ଭାବେ ଦୁଇଜଣ ହତ୍ୟା କରିଛନ୍ତି । ବୋଲାରୋ ଅଞ୍ଚଳରେ ପ୍ରବୀଣ ଏକ ଦୋକାନ କରିଥିଲେ । କାମ ସାରି ଦୋକାନ ବନ୍ଦ କରି ଫେରୁଥିବା ବେଳେ ତାଙ୍କ ଉପରକୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଆକ୍ରମଣକାରୀମାନେ ପ୍ରକୃତରେ କିଏ ତାହା ଜଣାପଡିନାହିଁ । ଏପରି କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ଅଛି ତାହା ସ୍ପଷ୍ଚ ହୋଇନାହିଁ ।

ଦକ୍ଷିଣ କନ୍ନଡ ଏସପି ଋଷିକେଶ କହିଛନ୍ତି, ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳର ଯଦି ସିସିଟିଭ କ୍ୟାମେରା ମିଳେ ତେବେ ଯାଞ୍ଚ କରାଯିବ । ଫୁଟେଜ ସାହାଯ୍ୟରେ ଆକ୍ରମଣକାରୀଙ୍କୁ ଖୋଜାଯିବ । ମୃତ ପ୍ରବୀଣଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା କହିଛନ୍ତି ଦକ୍ଷିଣ କନ୍ନଡ ଏସପି ।

ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ । ‘ଦକ୍ଷିଣ କନ୍ନଡ ଜିଲ୍ଲାରେ ଆମ ଦଳୀୟ କର୍ମୀଙ୍କୁ ହତ୍ୟା ନିନ୍ଦନୀୟ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ’ ବୋଲି କହିଛନ୍ତି ସିଏମ ।

Related Posts