ସୁନ୍ଦରଗଡ଼ରେ ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ; ୨ ମୃତ, ୧୮ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ବଜ୍ରପାତ। ବଜ୍ରପାତ ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ରାଉରକେଲା ଅରଜିଏଚକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତାହତଙ୍କ ମଧ୍ୟରେ ଉଭୟ ଖେଳାଳି ଓ ଦର୍ଶକ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ବନେଇଲତା ଗ୍ରାମର ଫୁଟବଲ ପଡିଆରେ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଅଚାନକ ବଜ୍ରାଘାତ ହୋଇଥିଲା। ବଜ୍ରପାତରେ ପ୍ରାୟ ୨୦ ଜଣ ଚେତା ହରାଇ ତଳେ ପଡ଼ିଥିଲେ। ସମସ୍ତଙ୍କୁ ତୁରନ୍ତ ହାତୀବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୮ ଜଣ ଆହତଙ୍କୁ ସେଠାରୁ ରାଉରକେଲା ଅରଜିଏଚକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ହାତୀବାରୀ ପୁଲିସ ପହଞ୍ଚିଛି। ସେପଟେ ଖବର ପାଇ ଡାକ୍ତରଖାନାରେ ବୀରମିତ୍ରପୁର ବିଧାୟକ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ ଡ. ଜଗଦିଶ ଚନ୍ଦ୍ର ବାରିକ କହିଛନ୍ତି, ଚିକିତ୍ସାଧିନ ସମସ୍ତ ପିଲାଙ୍କ ଚିକିତ୍ସା ଚାଲିଛି।

Related Posts