ଉତ୍ତର-ପୂର୍ବରେ ବିଜେପିକୁ ଚ୍ୟାଲେଞ୍ଜ ଦେଉଛି ଟିଏମସି, ରଣନୀତି ପ୍ରସ୍ତୁତ କରୁଛନ୍ତି ମୁକୁଲ ରୟ ଓ ଅଭିଷେକ ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଜୟ ରଥକୁ ରୋକି ବିରାଟ ଜନାଦେଶ ନେଇ ନିଜର ଶକ୍ତି ବୃଦ୍ଧି କରିଛି ମମତା ବାନାର୍ଜୀଙ୍କ ଟିଏମସି। ବେଙ୍ଗଲରେ ମମତା ବାନାର୍ଜୀଙ୍କ ଏହି ସଫଳତା ପରେ ବର୍ତ୍ତମାନ ପୁରା ଉତ୍ତର-ପୂର୍ବରେ ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଟିଏମସି। ତୃଣମୂଳ କଂଗ୍ରେସର ଏହି ମିଶନକୁ ପରିଚାଳନା କରୁଛନ୍ତି ବିଜେପି ଛାଡି ଟିଏମସିକୁ ଫେରିଥିବା ବରିଷ୍ଠ ନେତା ମୁକୁଲ ରୟ ଏବଂ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ।  ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପୂର୍ବ ଡେମୋକ୍ରାଟିକ୍ ଆଲାଇନ୍ସ (NEDA) ମୁଖ୍ୟ ହେମନ୍ତ ବିଶ୍ୱ ଶର୍ମା ଏବେ ବିଜେପିର ନେତୃତ୍ୱ ନେଉଛନ୍ତି।

ବିଗତ ବର୍ଷଗୁଡିକରେ, ବିଜେପି ଏକ ମିଶନ ମୋଡରେ କାମ କରି ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ କଂଗ୍ରେସ-ମୁକ୍ତ କରିଥିଲା।  ଏହା ପରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।  ଆସାମ ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସର ବଡ ବଡ ନେତାମାନେ ଦଳ ଛାଡୁଛନ୍ତି।  ବିଜେପିର ଏହି ମିଶନରେ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମୁକୁଲ ରୟଙ୍କର ଏକ ପ୍ରମୁଖ ହାତ ଥିଲା। ମୁକୁଲ ରୟଙ୍କ କାରଣରୁ ଟିଏମସି ନେତାମାନେ ବିଜେପିରେ ସାମିଲ୍ ହୋଇଥିଲେ। ଏବେ ମୁକୁଲ ରୟ ବିଜେପି ଛାଡ଼ି ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି, ତେଣୁ ସେ ବିଜେପି ବିରୋଧରେ ଅଭିଯାନ ଆରମ୍ଭ କରିଦେଇଛନ୍ତି।

ମମତା ବାନାର୍ଜୀ ଏବେ ଅଭିଷେକ ବାନାର୍ଜୀଙ୍କୁ ଉତ୍ତର-ପୂର୍ବ ମିଶନର ଦାୟିତ୍ବରେ ନିୟୋଜିତ କରିଛନ୍ତି।  ବଙ୍ଗଳାର ବିଜୟ ପରେ ମମତା ବାନାର୍ଜୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇଛି ଏବଂ ସେ ଉତ୍ତର-ପୂର୍ବରେ ନିଜର ଶକ୍ତି ପ୍ରଦର୍ଶନ କରି ଜାତୀୟ ଦଳର ମାନ୍ୟତା ପାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଏବଂ ବିଜେପି ବିରୋଧରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେବାକୁ ପ୍ରସ୍ତୁତ ହେଉଛନ୍ତି। ଉତ୍ତର-ପୂର୍ବରେ କଂଗ୍ରେସ ଦୁର୍ବଳ ହେଉଥିବା କାରଣରୁ ଏହାର ଫାଇଦା ଉଠାଉଛି ଟିଏମସି। ଏଭଳି ପରିସ୍ଥିତିରେ ଉତ୍ତର-ପୂର୍ବର ବିଭିନ୍ନ ରାଜ୍ୟର ଛୋଟ ଛୋଟ ଆଞ୍ଚଳିକ ଦଳ ସହ ମିଶି ବିଜେପି ଏବଂ ଟିଏମସି ମଧ୍ୟରେ କଡା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି।

ବିଜେପିର ଷ୍ଟ୍ରାଟେଜିକ୍ କମାଣ୍ଡ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ହାତରେ।  ସେ ମଧ୍ୟ ନିଜର କାମ ଆରମ୍ଭ କରିଛନ୍ତି।  ବିଧାନସଭା ନିର୍ବାଚନ ପରେ ଆସାମରେ ଦୁଇ ଜଣ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।  ଯେହେତୁ ହେମନ୍ତ ବିଶ୍ୱ ଶର୍ମା NEDA ର ମୁଖ୍ୟ ହୋଇଥିବାରୁ ସେ ସମସ୍ତ ରାଜ୍ୟର ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି, ତେଣୁ ଆସାମ ସମେତ ସମସ୍ତ ରାଜ୍ୟରେ ଟିଏମସିକୁ ରୋକିବାର ଦାୟିତ୍ବ ତାଙ୍କ ପାଖରେ ରହିବ।  ଆସାମ ଏବଂ ମିଜୋରାମ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଏବେ ବିଜେପିର ସମସ୍ୟା ବଢାଇପାରେ।  ଏହି ପରିସ୍ଥିତିର ସୁଯୋଗ ନେଇ ତୃଣମୂଳ କଂଗ୍ରେସ ନିଜ ପାଇଁ ଏକ ରାସ୍ତା ତିଆରି କରିପାରିବ ବୋଲି କୁହାଯାଉଛି। ସୂଚନାନୁସାରେ, ବିଜେପି ମଧ୍ୟ ତାହାର ରଣନୀତିରେ ପରିବର୍ତ୍ତନ ଆଣିପାରେ ଏବଂ ହେମନ୍ତ ବିଶ୍ୱ ଶର୍ମାଙ୍କ ସହ ଆଉ କିଛି ନେତାଙ୍କୁ ଏହି କ୍ଷେତ୍ରରେ ବିଶେଷ ଦାୟିତ୍ବ ଦେଇପାରେ। ଏଥିରେ କେନ୍ଦ୍ରୀୟ ଏବଂ ଆଞ୍ଚଳିକ ନେତାଙ୍କୁ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି। 

Related Posts