ନବ ଗଠିତ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲା ଖୁଣ୍ଟିଆ ‌ନିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ନବ ଗଠିତ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ।  ନୂଆ କରି ଗଠିତ ହୋଇଥିବା ପରିଚାଳନା କମିଟିର ବୈଧତାକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି ଖୁଣ୍ଟିଆ ‌ନିଯୋଗ । ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ହାଇକୋର୍ଟ ଏହି ପିଟିସନକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାମଲାର ଚୂଡାନ୍ତ ରାୟ ଉପରେ ହିଁ ପରିଚାଳନା କମିଟିର ଭବିଷ୍ୟତ ନିର୍ଭର କରିବ ବୋଲି ନ୍ଯାୟାଳୟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ଖୁଣ୍ଟିଆ ନିଯୋଗ ପକ୍ଷରୁ ଦାଏର ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦିଷ୍ଟ ନିଯୋଗର ପ୍ରତିନିଧିମାନେ ବାରମ୍ବାର ମନୋନୀତ ହେଉଛନ୍ତି।  ଏବଂ ଜାଣିଶୁଣି ଖୁଣ୍ଟିଆ ନିଯୋଗକୁ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପିଟିସନରେ ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରତିଦିନ ଶ୍ରୀମନ୍ଦିରରେ ୧୯ ପ୍ରକାରର ସେବାପୂଜା ଖୁଣ୍ଟିଆ ସେବକ ସଂପାଦନ କରିଥାନ୍ତି । ଶ୍ରୀମନ୍ଦିର ଖୋଲିବା ସମୟରୁ ଆରମ୍ଭ କରି ମନ୍ଦିର ବନ୍ଦ ହେବା ପର୍ଯ୍ୟନ୍ତ ଏହି ସେବକ ନିର୍ଦ୍ଦିଷ୍ଟ ସେବାପୂଜା କାର୍ଯ୍ୟ ସଂପାଦନ କରିଥାନ୍ତି।  

କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ସମୟରେ ଖୁଣ୍ଟିଆ ନିଯୋଗର ସେବକଙ୍କୁ ସଦସ୍ୟ ଭାବେ ଜାଣିଶୁଣି ଅଣଦେଖା କରାଯାଉଥିବା ନେଇ ଆବେଦନରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ନାଁ ରାଜ୍ୟ ସରକାରଙ୍କ ନିକଟକୁ ମୁଖ୍ୟ ପ୍ରଶାସକ ପଠାଇବା ବେଳେ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ରହୁ ନାହିଁ ବୋଲି ନିଯୋଗ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ସ୍ବଚ୍ଛତା ପାଇଁ ନିୟମାବଳୀ ପ୍ରଣୟନ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ଖୁଣ୍ଟିଆ ନିଯୋଗ ସେବକଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଭାବେ ଗ୍ରହଣ କରାଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଶ୍ରୀମନ୍ଦିରର ନୂଆ ପରିଚାଳନ କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମ ମନୋନୀତ କରିଥିଲେ। ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବା ପାଇଁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା , ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ସେବାୟକ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ସଦସ୍ୟ ରହିବେ ବୋଲି କୁହାଯାଇଥିଲା। ସେହିପରି ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧତ୍ତ୍ୱ କରିବା ପାଇଁ ରାମକୃଷ୍ଣ ଦାସ। ବାଳୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ପରିଚାଳନା କମିଟିରେ ଚାଟାର୍ଡ ଆକାଉଟାଣ୍ଟ ଶରତ ଚନ୍ଦ୍ର ବେହେରାଙ୍କୁ ଚୟନ କରାଯାଇଥିଲା। 

Related Posts