
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ସଲିସିଟର ଜେନେରାଲ ପଦରୁ ତୁଷାର ମେହେଟ୍ଟାଙ୍କୁ ହଟାଇବା ଦାବିରେ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ଟିଏମସି ସାଂସଦଙ୍କ ଏକ ପ୍ରତିନିଧୀ ଦଳ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି, “ଆମେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛୁ। ତୁଷାର ମେହେଟ୍ଟାଙ୍କୁ ତୁରନ୍ତ ସଲିସିଟର ଜେନେରାଲ ପଦରୁ ହଟାଇବାକୁ ଦାବି କରିଛୁ।” ଟିଏମସି ଅଭିଯୋଗ କରିଛି ଯେ ତୁଷାର ମେହେଟ୍ଟା ସଲିସିଟର ଜେନେରାଲ ଥିବାବେଳେ ସେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ଭେଟିଛନ୍ତି। ସେହିପରି ଟିଏମସି ସାଂସଦ ସୁଖେନ୍ଦୁ ସେଖର କହିଛନ୍ତି ଯେ ତୁଷାର ମେହେଟ୍ଟା ମଧ୍ୟ ବିଜେପି ନେତାଙ୍କୁ ଭେଟି ବାର ପରିଷଦର ନିୟମ ଭାଙ୍ଗିଛନ୍ତି। ସୂଚନାଯୋଗ୍ୟ ଯେ, ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ଗୁରୁବାର ଦିନ ଦିଲ୍ଲୀରେ ଥିଲେ। ଅଭିଯୋଗ ହୋଇଛି ଯେ ଅଧିକାରୀ ତୁଷାର ମେହେଟ୍ଟାଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଠକେଇ, ବେଆଇନ ଲାଞ୍ଚ ସମେତ ବିଭିନ୍ନ ଅପରାଧିକ ମାମଲା ଏବଂ ନାରଦା ମାମଲାରେ ଷ୍ଟିଙ୍ଗ ଅପରେସନରେ ଲାଞ୍ଚ ନେଉଥିବା ଘଟଣାରେ ତାଙ୍କ ବିରୋଧରେ ମାମଲା ଚାଲିଛି । ତେଣୁ ଟିଏମସି ଅଭିଯୋଗ କରିଛି ଯେ ସଲିସିଟର ଜେନେରାଲ ହେଉଛନ୍ତି ଭାରତ ସରକାରଙ୍କ ଦ୍ୱିତୀୟ ବଡ ଆଇନ ଅଧିକାରୀ ଏବଂ ନାରଦା ମାମଲା ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ଟିଏମସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତୁଷାର ମେହେଟ୍ଟାଙ୍କୁ ସଲିସିଟର ଜେନେରାଲ ପଦରୁ ହଟାଇବାକୁ ଦାବି କରିଛି। ତେବେ ଶୁଭେନ୍ଦୁ ଆଧିକାରୀଙ୍କ ସହ ସାକ୍ଷାତକାର ଖବରକୁ ତୁଷାର ମେହେଟ୍ଟା ଖଣ୍ଡନ କରିଛନ୍ତି।