ଶ୍ରୀଜିଉଙ୍କ ଅଧରପଣା, ରାତି ୮ଟାରୁ ଆରମ୍ଭ ହେବ ନୀତି

ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ମାନଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହେବ। ରଥ ଉପରେ ଏହି ନୀତି ରାତି ୮ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିବ। ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ରଥରେ ମାଉସୀଙ୍କ ପାଖକୁ ଯିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା ମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ଶାନ୍ତି କରିବା ପାଇଁ ରଥ ଉପରେ ବିରାଜମାନ ଶ୍ରୀଜିଉ ମାନଙ୍କ ସମ୍ମୁଖରେ ଅଧରପଣା ପୂଜା କରାଯାଇଥାଏ। ମହାପ୍ରଭୁଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ।

ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହେବ। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଭୋଗ କରାଯିବ। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପାଣି ଆଣି ପିତଳ ହଣ୍ଡାରେ ରଖିବା ପରେ ଅଧର ହାଣ୍ଡି ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛାଣିବେ। ହାଣ୍ଡିରେ ପାଣି ଭର୍ତ୍ତି ହେବା ପରେ ସୂପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିବେ।

ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯିବ। ଏହା ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାପାଠ ନୀତି ସଂପନ୍ନ କରିବେ। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିବେ। ରଥ ଉପରେ ଅଧରପଣା ନୀତି ଶେଷ ହେବା ପରେ ନିଳାଦ୍ରୀ ବିଜେ ପାଇଁ ସୋମବାର ସକାଳୁ ନୀତିକାନ୍ତି ଆରମ୍ଭ ହୋଇଯିବ।

Related Posts