ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମ୍‌କୋର୍ଟର ୪୮ତମ ପ୍ରଧାନ ବିଚାରପତି ( ସିଜେଆଇ ) ଜଷ୍ଟିସ୍ ଏନ୍‌.ଭି. ରମଣାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ରମଣା ନିଜ ୧୬ ମାସର କାର୍ଯ୍ୟକାଳରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ଓଡିଶା ସଂଦର୍ଭରେ କିଛି ମାମଲାର ସେ ଶୁଣାଣି କରିଥିବା ବେଳେ ଜୁଲାଇ ୧୨, ୨୦୨୧ରେ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ଜଷ୍ଟିସ୍ ରମଣା‌ଙ୍କ ରାୟ ବେଶ୍‌ ଚର୍ଚ୍ଚାରେ ରହିଥିଲା।କୋଭିଡ୍ ମହାମାରୀରେ ଲୋକେ ମୃତ୍ୟୁବରଣ କରୁଥିବା ବେଳେ ସାରା ରାଜ୍ୟରେ ରଥଯାତ୍ରା ଆୟୋଜନକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ ରାୟ ‌ଦେଇଥିଲେ।

ସେହିଭଳି ଓଡିଶାରେ ଖଣି ଖନନ ତଥା ଖଣିରୁ ଉତ୍ତୋଳିତ ସାମଗ୍ରୀ ଉଠାଇବାକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଓକିଲମାନେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ପ୍ରସଙ୍ଗରେ ଜଷ୍ଟିସ୍ ରମଣା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ପ୍ରସଙ୍ଗରେ ଓଡିଶା ଆଡ୍‌ଭୋକେଟ୍‌ ଜେନେରାଲ (ଏଜି)ଙ୍କୁ କୋର୍ଟରେ ଉପସ୍ଥିତ ହୋଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ସର୍ବାଧିକ ୧୧ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଫଳସ୍ବରୂପ ଓଡିଶା ହାଇକୋର୍ଟରେ ୧୦ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇପାରିଥିଲା। ନିଜର ୧୬ ମାସର କାର୍ଯ୍ୟକାଳରେ ଜଷ୍ଟିସ ରମଣା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ଯୁଗ୍ମ ସମ୍ମିଳନୀ ଆୟୋଜନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।