ଗାଡ଼ିରେ ସିଟ୍ ବେଲ୍ଟ ପିନ୍ଧିନଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଲାଗିଲା ୧୦୦ ପାଉଣ୍ଡର ଜରିମାନା

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା । ଲଣ୍ଡନରେ ଘଟିଛି ଏମିତି ଏକ ଘଟଣା। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଚଳନ୍ତା ଗାଡିରେ ଯାଉଥିବା ବେଳେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ତାଙ୍କୁ ଇଂଲଣ୍ଡର ଲଙ୍କସାୟାର ପୁଲିସ ୧୦୦ ପାଉଣ୍ଡର ଜରିମାନା ଲଗାଇଛି ।

କାରରେ ବସି ଯାଉଥିବା ବେଳେ ସୁନକଙ୍କର ଏକ ଭିଡିଓ ସୁଟ୍ କରାଯାଇଥିଲା ଯେଉଁଥିରେ ସେ ସିଟ୍ ବେଲ୍ଟ ପିନ୍ଧିନଥିବାର ନଜର ଆସିଥିଲେ । ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲଙ୍କସାୟାର ପୁଲିସ ସୁନକଙ୍କ ନାଁ ନ ନେଇ ସିଟ୍ ବେଲ୍ଟ ପିନ୍ଧିନଥିବର ଯୋଗୁଁ ଜଣେ ୪୨ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଜରିମାନା ଲଗାଯାଇଥିବା ନେଇ ଟ୍ୱିଟ୍ କରିଛି । ତେବେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ଗତ ଗୁରୁବାର ଦିନ କ୍ଷମା ପ୍ରାର୍ଥନା ବି କରିଥିଲେ ରିଷି ସୁନକ ।

ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ଗସ୍ତ ବେଳେ ଶହେରୁ ଅଧିକ ସରକାରୀ ଯୋଜନା ସମ୍ପର୍କରେ ସରକାର ଫଣ୍ଡ ଦେବା ନେଇ ଘୋଷଣା ସମ୍ପର୍କରେ ବାର୍ତ୍ତା ଦେଉଥିବା ବେଳେ ସୁନକ ସିଟ୍ ବେଲ୍ଟ ଖୋଲି ଦେଇଥିଲେ । ଫଳରେ ବିରୋଧୀ ଲେବର ପାର୍ଟି ଏହାର ସମାଲୋଚନା କରିଥିଲେ । ତେବେ ପୁଲିସ ଘଟଣାର ଯାଞ୍ଚ କରାଯାଉଥିବା କଥା କହିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ତାଙ୍କ ଉପରେ ଜରିମାନା ଲଗାଯାଇଥିବା ନେଇ ଟ୍ୱିଟ୍ କରିଛି । ରିଷି ସୁନକଙ୍କ ଉପରେ ୧୦୦ ପାଉଣ୍ଡର ଜରିମାନା ଲଗାଯାଇଥିବା ସୂଚନା ମିଳିଛି ।

Related Posts