ଓବିସି ବର୍ଗଙ୍କ ପାଇଁ ଆଜି ହୋଇପାରେ ବଡ ନିଷ୍ପତି; କେନ୍ଦ୍ର କ୍ୟାବିନେଟର ମଞ୍ଜୁର ପାଇବ ରାଜ୍ୟ ଆରକ୍ଷଣ ବିଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓବିସି ବର୍ଗର ଲୋକଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଓବିସି ତାଲିକାରେ ରାଜ୍ୟଗୁଡିକର ଶକ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ଆଇନ ପ୍ରସ୍ତୁତ କରିବାକୁ ବିଚାର କରୁଛନ୍ତି। ଆଜି ବସିବାକୁ ଥିବା କେନ୍ଦ୍ର କ୍ୟାବିନଟେ ବୈଠକରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିପାରେ। ବିଲ୍ କ୍ୟାବିନେଟର ମଞ୍ଜୁର ପରେ ସରକାର ଏହାକୁ ସଂସଦରେ ଗୃହିତ କରାଇବା ପାଇଁ ଚଳିତ ଅଧିବେଶନରେ ହିଁ ଆଗତ କରିବେ ବୋଲି ସୂଚନା ମିଳିଛି ।

ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେଲେ ରାଜ୍ୟ ସରକାର ମାନେ ନିଜ ନିଜ ଓବିସି ବର୍ଗ ସର୍ଭେ ସହ ଓବିସି ଗଣନା କରିପାରିବେ । ସୁପ୍ରିମକୋର୍ଟ ମରାଠା ଆରକ୍ଷଣ ପ୍ରସଙ୍ଗରେ ଗତ ମେ’ ୫ ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ପୂର୍ବରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କହିଥିଲେ କେବଳ କେନ୍ଦ୍ର ସରକାର ହିଁ ଓବିସି ବର୍ଗର ଜନଗଣନା ଓ ସର୍ଭେ କରିପାରିବେ । ଯାହାକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ଇଟି ନ୍ୟୁଜ୍ ଅନୁଯାୟୀ ସମ୍ବିଧାନର ଅନୁଛେଦ ୩୪୨-ଏ ଓ ୩୬୬(୨୬) ସି ଅନୁସାରେ ଏହି ସଂଶୋଧନ ସଂସଦରେ ଗୃହିତ ହେଲେ ରାଜ୍ୟ ମାନେ ନିଜ ନିଜ ଓବିସି ତାଲିକା ପ୍ରସ୍ତୁତ କରିପାରିବେ । ଏହାବାଦ ଓବିସି ବର୍ଗଙ୍କୁ ନେଇ ଯେକୌଣସି ନିଷ୍ପତି ରାଜ୍ୟ ସରକାର ମାନେ ମଧ୍ୟ ନେଇ ପାରିବେ ।

ସୂଚନାଯୋଗ୍ୟ ଯେ ଓବିସି ଜାତି ଗଣନା ପ୍ରସଙ୍ଗରେ ଗତ ମାସରେ, ସୁପ୍ରିମକୋର୍ଟ ଧାରା 324A ଆଧାରରେ ମରାଠା ସମ୍ପ୍ରଦାୟ ପାଇଁ କୋଟା ରଦ୍ଦ ନେଇ ୫ ମଇ ଆଦେଶ ବିରୁଦ୍ଧରେ କେନ୍ଦ୍ରର ସମୀକ୍ଷା ଆବେଦନକୁ ଖାରଜ କରିଦେଇଥିଲେ। ପଛୁଆ ବର୍ଗଙ୍କ ପାଇଁ ଜାତୀୟ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ୨୦୧୮ ରେ ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ଧାରା 324A ଅଣାଯାଇଥିଲା। ସରକାରଙ୍କ ଯାଚିକାକୁ କୋର୍ଟ ଖାରଜ କରି ମେ’ ୫ ରେ ଦେଇଥିବା ରାୟକୁ ବଳବତ୍ତର ରଖିଥିଲେ ।

ସମ୍ବିଧାନର ୧୦୨-ସଂଶୋଧନକୁ ସୁପ୍ରିମକୋର୍ଟଙ୍କ ବେଞ୍ଚ୍ ତିନି-ଦୁଇ ସଂଖ୍ୟାରେ ସମର୍ଥନ କରିଛନ୍ତି। କୋର୍ଟ ୧୦୨ ତମ ସାମ୍ବିଧାନିକ ସଂଶୋଧନକୁ ସମର୍ଥନ କରିଥିଲେ। କିନ୍ତୁ କୋର୍ଟ କହିଛନ୍ତି ଯେ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ (SEBCs) ତାଲିକା ରାଜ୍ୟ ସ୍ଥିର କରିପାରିବ ନାହିଁ। ବରଂ ସେହି ତାଲିକାକୁ କେବଳ ରାଷ୍ଟ୍ରପତି ସୂଚିତ କରିପାରିବେ।

ମେ ୫ ରେ ସୁପ୍ରିମକୋର୍ଟ ମରାଠା ସଂରକ୍ଷଣ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଥିଲେ। ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ମରାଠା ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ଯେ ମରାଠା ସମ୍ପ୍ରଦାୟକୁ ଆରକ୍ଷଣ ପାଇଁ ସାମାଜିକ, ଶିକ୍ଷାଗତ ଯୋଗ୍ୟତା ଭାବରେ ଘୋଷିତ କରାଯାଇପାରିବ ନାହିଁ, ସମାନତା ଅଧିକାର ଉପରେ ମହାରାଷ୍ଟ୍ର ସରକାର ରାଜ୍ୟ ଅଧିନିୟମ ୨୦୧୮ର ଉଲ୍ଲଂଘନ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ ଯେ ମରାଠା ସଂରକ୍ଷଣ ୫୦ ପ୍ରତିଶତ ସୀମା ଉଲ୍ଲଂଘନ କରିଛି।

ସୂଚନା ଥାଉକି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମେ କେନ୍ଦ୍ର ସରକାର ଗତ ମାସରେ ଓବିସି ବର୍ଗଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସର୍ବଭାରତୀୟ ସ୍ତରରେ ଥିବା ମେଡିକାଲ କଲେଜରେ ନାମ ଲେଖା ପାଇଁ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରଖିଛନ୍ତି । ଏହାବାଦ ଆର୍ଥିକ ଅନଗ୍ରସର କ୍ଷେତ୍ରର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।

Related Posts