(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା 26 ରେ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାକୁ ଯାଉଥିବା ଭୀଷଣ ସାମୁଦ୍ରିକ ଝଡ ୟାସ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ସରକାରୀ କର୍ମଚାରୀଙ୍କ ସହ ଏକ ମିଟିଂ କରିବାକୁ ଯାଉଛନ୍ତି। ଏକ ସୂତ୍ରରୁ ପ୍ରକାଶ ଯେ “ପ୍ରଧାନମନ୍ତ୍ରୀ ଆଜି ସରକାରୀ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ), ଟେଲିକମ୍, ଶକ୍ତି, ବେସାମରିକ ବିମାନ ଚଳାଚଳ, ୟାର୍ଥ ବିଜ୍ଞାନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ଏକ ମିଟିଂ କରିବେ। ଏହି ମିଟିଂରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। କ୍ୟାବିନେଟ ସଚିବ ରାଜୀବ ଗୌଡା ଶନିବାର ଦିନ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ର ଏକ ମିଟିଂ ଅଧ୍ୟକ୍ଷତା କରି ସାଇକ୍ଲୋନିକ୍ ଝଡ଼ ୟାସ୍ ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଗତକାଲି ଭାରତ ପାଣିପାଗ ବିଭାଗ କହିଛି ଯେ ସାଇକ୍ଲୋନିକ୍ ୟାସ୍ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହୋଇ ମେ 26 ରେ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଦୁଇ ରାଜ୍ୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଇଞ୍ଜିନିୟର ଟାସ୍କ ଫୋର୍ସ ଷ୍ଟାଣ୍ଡବାଇରେ ଅଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ଉତ୍ତର ରେଳ ଜାତୀୟ ରାଜଧାନୀରୁ ଭୁବନେଶ୍ୱର ଏବଂ ପୁରୀରୁ ଓଡିଶାର ଏକାଧିକ ଟ୍ରେନକୁ ସାମୟିକ ଭାବେ ବାତିଲ କରିଦେଇଛି। ପୂର୍ବ ଉପକୂଳରେ ଭୀଷଣ ସାମୁଦ୍ରିକ ଝଡ ୟାସ୍ ସମ୍ଭାବ୍ୟ ପ୍ରସ୍ତୁତି କରିବା ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ମଧ୍ୟ ପ୍ରସ୍ତୁତ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘୂର୍ଣ୍ଣିବଳୟ ଝଡ଼ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।
