ଆଜି ରାଜ୍ୟରେ ମୋଟ ୭୦ ପ୍ରତିଶତ ମତଦାନ ହୋଇଛି: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଜି ଠାରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟ ଭୋଟ ମୋଟ ୭୧ଟି ବ୍ଳକର ୧,୬୬୯ଟି ଗ୍ରାମ ପଞ୍ଚାୟତରେ ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି । ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ୍ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ୟ୍ୟ ସମ୍ପନ୍ନ ହୋଇଛି । ପ୍ରଥମ ପର୍ୟ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ୟ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପର୍ୟ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୦ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଳକର ତୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣ ଯୋଗୁଁ ନିର୍ବାଚନ ହୋଇନାହିଁ ।

କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ୟ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଅଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ ଏବଂ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟରମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କରେ ମଧ୍ୟ କମିଶନ ଏହିପରି ସହଯୋଗ ଆଶା କରୁଥିବା ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି ।

Related Posts