ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ୍ ନିୟମ, ସତର୍କ ହୁଅନ୍ତୁ

ଡିସେମ୍ବର ୧ ତାରିଖରୁ ନୂଆ ପରିବହନ ଆଇନ ଅନୁଯାୟୀ ଗାଡ଼ି ମୋଟରଗୁଡ଼ିକର ଯାଞ୍ଚ ପୁଣି ପୂର୍ବ ଭଳି କଡାକଡି ହେବ । ସେପ୍ଟେମ୍ବର ପହିଲାରୁ ଯେଭଳି ଭାବେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ କଡା ଯାଞ୍ଚ ହେଉଥିଲା, ପୁଣି ସେଭଳି ତନଖି ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଓଡ଼ିଶା ସମେତ ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଲାଗୁ ହୋଇଥିଲା । ଏହି ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଓ ନିୟମାନୁସାରେ ଗାଡ଼ିର ସବୁ କାଗଜପତ୍ର ଠିକ୍ ନ ଥିଲେ ଜରିମାନା ଆଦାୟ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୋଟର ଯାନ ଆଇନ ଲାଗୁ ନେଇ ଚାଲିଥିବା ଧରପଗଡ଼ ଉପରେ ୩ ମାସ କୋହଳ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ତାହା ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଫଳରେ ରାଜ୍ୟରେ ପୁଣି ଗାଡ଼ିମଟରର କଡାକଡି ଯାଞ୍ଚ ଆରମ୍ଭ ହେବ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି ।

ନୂଆ ମୋଟର ଯାନ ଆଇନ ଲାଗୁ ପରେ ଟ୍ରାଫିକ ନିୟମ କଡାକଡି ହେବା ପରେ ଏ ନେଇ ଜନସାଧାରଣ ସମ୍ପୂର୍ଣ୍ଣ ଅବଗତ ନ ଥିବା ହେତୁ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ଦେଖା ଦେଇଥିଲା । ଖୋଦ ରାଜଧାନୀ ଭୁବନେଶ୍ୱରରେ ଜନତା-ପୁଲିସ ମୁହାଁମୁହିଁ ହୋଇଥିଲେ ।

ତେବେ ନୂଆ ଆଇନ ଲାଗୁ ହେବାର ଦୁଇ ମାସ ମଧ୍ୟରେ ରାଜ୍ୟରେ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜରିମାନା ଆଦାୟ ହୋଇଥିଲା । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ିଚାଳନା, ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ଓ ନିଶା ସେବନ କରି ଗାଡ଼ି ଚଳାଉଥିବା ଲୋକେ ମୋଟା ଅଙ୍କର ତଣ୍ଡ ଗଣୁଥିଲେ ।

ଗାଡ଼ି ମଟରର କଡ଼ାକଡ଼ି ଯାଞ୍ଚ ଯୋଗୁ ବିପୁଳ ଜରିମାନା ଆଦାୟ ସହିତ ଦୁର୍ଘଟଣାର ପରିମାଣ ହ୍ରାସ ପାଇଥିଲା । ସରକାରଙ୍କ ହିସାବ ଅନୁଯାୟୀ ୨୦୧୮ ମସିହାରେ କେବଳ ସେପ୍ଟେମ୍ବର ମାସରେ ୮୪୪ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ମାସ ସେପ୍ଟେମ୍ବର ମାସରେ ଏହା ୭୦୨କୁ ହ୍ରାସ ପାଇଥିଲା ।

ସମଗ୍ର ରାଜ୍ୟରେ ୧୩ ପ୍ରତିଶତ ହାରରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଗୋଟିଏ ମାସରେ କିନ୍ତୁ ଗାଡ଼ିମଟର ଯାଞ୍ଚ ଯୋଗୁ ଏହା ୧୬.୮୨ ପ୍ରତିଶତ ହ୍ରାସ ପାଇଥିଲା ।

Related Posts