(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆତଙ୍କବାଦ ନିରୋଧ ଆଇନ ବଳରେ ଗିରଫ ହୋଇଥିବା ଆଦିବାସୀ କାର୍ଯ୍ୟକର୍ତ୍ତା ‘ଷ୍ଟାନ ସ୍ବାମୀ ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପ୍ରାଣ ହରାଇଛନ୍ତି। ଗତ ବର୍ଷ ଏଲଗର ପରିଷଦ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜେଲରେ ଥିବା ବେଳେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ଶେଷରେ ଗତ କାଲି ୮୪ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି । ସୋମବାର ତାଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରବିବାର ଠାରୁ ଷ୍ଟନ ସ୍ୱାମୀ ଭେଣ୍ଟିଲେଟର ସହାୟତାରେ ଥିଲେ। ଜେଲରେ ଥିବା ବେଳେ ମଧ୍ୟ ସେ ଅସୁସ୍ଥ ଥିଲେ। ପ୍ରାଥମିକ ଅବସ୍ଥାରେ ତାଙ୍କୁ କୌଣସି ଚିକିତ୍ସା ମିଳି ନଥିଲା, ମେ’ ୨୮ ରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ଏହି ମାମଲାରେ ଏନ୍ଏଚ୍ଆରସି ମଧ୍ୟ ହସ୍ତକ୍ଷେପ କରି ଥିଲେ। ସୂଚନାଯୋଗ୍ୟ ଯେ , ଭୀମା କୋରେଗାଓଁ ହିଂସା ମାମଲାରେ ଷ୍ଟନ ସ୍ୱାମୀଙ୍କୁ ଏନ୍ଆଇଏ ଗିରଫ କରିଥିଲା। ସେବେଠାରୁ ସେ ତଲୋଜା ଜେଲ୍ରେ ସଜା କାଟୁଥିଲେ। ଆଦିବାସୀଙ୍କ ଅଧିକାର ପାଇଁ ସେ ଲଢେଇ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି। ୧୯୯୬ରେ ୟୁରାନିୟମ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ବିରୋଧରେ ସେ ଅଭିଯାନ ଆରମ୍ଭ କରିଥିଲେ। ଏନଆଇଏ ସୂଚନା ମୁତାବକ ସ୍ୱାମୀ ସିପିଆଇ (ମାଓବାଦୀ)ର ସଦସ୍ୟ ଓ ସେ ସଂଗଠନର ବେଆଇନ କାର୍ଯ୍ୟରେ ସାମିଲ ଥିଲେ। ସିପିଆଇ (ମାଓବାଦୀ)ର ବେଆଇନ୍ ପ୍ରଚାର ସାମଗ୍ରୀ ତାଙ୍କ ନିକଟରୁ ଜବତ କରାଯାଇଛି ବୋଲି ଏନଆଇଏ କହିଥିଲା । ଗିରଫ କରିବା ପୂର୍ବରୁ ସ୍ୱାମୀଙ୍କୁ ୧୫ ଘଣ୍ଟା ଧରି ଏନଆଇଏ ଅଧିକାରୀ ପଚରାଉଚରା କରିଥିଲେ। ସ୍ୱାମୀ ଗିରଫ ହେବା ପୂର୍ବରୁ କହିଥିଲେ ଯେ କମ୍ପ୍ୟୁଟର୍ରେ ଜାଲିଆତି କରି ତାଙ୍କୁ ଫସାଇ ଦିଆଯାଇଛି। ସେ କେବେ ହେଲେ ଭୀମା କୋରେଗାଁଓକୁ ଯାଇନାହାନ୍ତି। ତଥାପି ୨୦୧୭ ଡିସେମ୍ବର ୩୧ ହିଂସାକାଣ୍ଡ ମାମଲାରେ ତାଙ୍କୁ ଫସାଇଦିଆଯାଉଛି। ତାଙ୍କ ନାଁରେ ୟୁଏପିଏ ମଧ୍ୟ ଲଗା ଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ କିଛି ଦିନ ତଳେ ଜାମିନ ଆବେଦନ କରିଥିଲେ ସୁଦ୍ଧା ମିଳି ପାରି ନଥିଲା।
Related Posts
-
Copyright © SatyaPatha2021