ଆଦିବାସୀଙ୍କୁ ଚାଲିଛି ଲୁଟ୍; ରାଜ୍ୟର ସବୁ ଆଦିବାସୀ ନେତା କାହିଁକି ଚୁପ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତମାମ ରାଜ୍ୟରେ ପାଖାପାଖି ୨୦ ପ୍ରତିଶତ ରୁ ଅଧିକ ଜନଜାତି ବସବାସ କରନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବା ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ବିରୋଧ କରିବା ପାଇଁ ବା ଏମାନଙ୍କର ସାମୁହିକ ବିକାଶ ପାଇଁ ଆମ ରାଜ୍ୟରେ ୧୪୭ ରୁ ୩୩ଜଣ କେବଳ ଜନଜାତିର ବିଧାୟକ ଥିବା ବେଳେ, ୨୧ରୁ ୫ଜଣ ସାଂସଦ ଅଛନ୍ତି ଅନୁସୂଚିତ ଜନଜାତି ବା ଆଦିବାସୀ ସଂପ୍ରଦାୟର। ତେବେ ଏସବୁ ବାଦ୍ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ଏମାନେ ଜଣେ ଆଦିବାସୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି। ଆହୁରି ମଧ୍ୟ ଗର୍ବର କଥା ହେଲା ଓଡ଼ିଶା ମାଟିର ଆଦିବାସୀ ଝିଅ ହିଁ ବର୍ତ୍ତମାନ ଦେଶର ମହାମହିମ ରାଷ୍ଟ୍ରପତି ଅଛନ୍ତି। ଏବଂ ଆହୁରି ଯଦି ଦେଖିବା କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ଓଡ଼ିଶା ମାଟି ସୁନ୍ଦରଗଡ଼ ଅଞ୍ଚଳର ଜୁଏଲ ଓରାମ। ଏତେସବୁ କଥା ଉତ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି,ବାସ୍ତବରେ ଓଡ଼ିଶାରେ ଆଦିବାସୀ ମାନଙ୍କର ସ୍ଥିତି ଏତେସବୁ ବଡ ବଡ ସାମ୍ବିଧାନିକ ପଦବୀରେ ରହିବାପରେ ,ଆଦିବାସୀ ମାନଙ୍କର ଆଖି ଦୃଶିଆ ବିକାଶ ସମ୍ଭବ ହୋଇ ପାରିଛି ତ? ନା ଏସବୁ ଲୋକ ଦେଖାଣିଆ ଚାଲିଛି! ଆଦିବାସୀଙ୍କ ବିକାଶ ନାମରେ ଆଦିବାସୀଙ୍କୁ ନେଇକି କେବଳ ସାଙ୍କେତିକ ଭାବରେ ଯେତେ ସବୁ ରାଜନୈତିକ ସ୍ତରରେ ବଡ ବଡ ପଦବୀ ରହିଛି ଏମାନଙ୍କୁ ବସାଇ ଆଦିବାସୀ ମାନଙ୍କୁ ରୀତିମତ ଶୋଷଣ କରା ଯାଉଛି।

ଆଜି ଆମେ ସତ୍ୟପାଠରେ କିଛି ଉଦାହରଣ ନେଉଛୁ ଏବଂ ଏହାକୁ ଆଧାର କରି ଯେଉଁମାନେ ଶସକ୍ତ ଆଦିବାସୀ ଅଛନ୍ତି ସେମାନଙ୍କୁ ଆମେ ଆହ୍ବାନ କରୁଛୁ ଯେ,ବାସ୍ତବରେ ଆଜି ଓଡ଼ିଶାରେ ଆଦିବାସୀ ମାନଙ୍କର ସ୍ଥିତି ଆଜି କାହିଁକି ଦୟନୀୟ ସ୍ଥିତିରେ ରହିଛି ତାର କାରଣ ଖୋଜିବା ପାଇଁ ଚେଷ୍ଟା କରନ୍ତୁ।କିଛିଦିନ ପୂର୍ବେ ଆମେ ସାମ୍ନାକୁ ଆଣିଥିଲୁ ଯେତେବେଳେ ତମାମ ରାଜ୍ୟରେ ପାର୍ବଣ କୁ ସମସ୍ତେ ଉପଭୋଗ କରୁଛନ୍ତି ଠିକ୍ ସେହି ସମୟରେ ରାଜଧାନୀ ଠାରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ବଲାଙ୍ଗୀର ର କୁମିଆପାଲ୍ଲି ଠାରେ ଯେଉଁ ସ୍ଥାନରେ ଲୋୟର ସୁକତେଲ ପ୍ରକଳ୍ପ ହୋଇଛି ବୋଲି ଗତ ସରକାର ଏବଂ ବର୍ତ୍ତମାନର ସରକାର ଛାତି ଫୁଲାଇକି ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହି ଜାଗାରେ ୧୦୦ ଆଦିବାସୀ ପରିବାର ଜଳ ସତ୍ୟାଗ୍ରହ କରୁଛନ୍ତି କାରଣ ତାଙ୍କ ଘର ବୁଡି ଯାଉଛି,ଚାଷ ଜମିରେ ବି ପାଣି ପଶୁଛି,ଗୃହ ପାଳିତ ପଶୁ ମାନେ ମଧ୍ୟ ଜଳରେ କେଉଁ ଆଡେ ଭାଷୀ ଗଲେଣି ଏହାର କୌଣସି ଖୋଜ ଖବର ନାହିଁ।ଏମାନେ ତାଙ୍କର ଜୀବିକା ଜୀବନ ଭିଟାମାଟି ପାଇଁ ଯେତେବେଳେ ନିୟମ ଅନୁସାରେ ଦାବି ଜଣାଉଛନ୍ତି ତାହା କୌଣସି ରାଜନୈତିକ ଦଳର କର୍ଣ୍ଣପାତ ହେଉନାହିଁ।ଏମିତି କି ଏମାନେ ଚଳାଇଥିବା ଶାନ୍ତିପୂର୍ଣ୍ଣ ଜଳ ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ରାଜ୍ୟର କୌଣସି ପ୍ରମୁଖ ଗଣମାଧ୍ୟମ ସାମ୍ନାକୁ ଆଣୁ ନାହିଁ ବା ନିଜ ଖବର ରେ ସ୍ଥାନ ଦେଉନାହିଁ।

ସେହିପରି ଆଉ ଏକ ଉଦାହରଣ ହେଉଛି ଆଦିବାସୀ ମାନଙ୍କର ସମନ୍ୱିତ ବିକାଶ କରିବା ପାଇଁ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଚାରିଆଡ଼େ ଖୋଲା ଗଲା ଏଥିରେ ଯେଉଁ ଶହ ଶହ ଅର୍ଥ ଆସୁଛି ଏସବୁ କିଭଳି ବାଟମାରଣା ହେଉଛି ତାହାର ଏକ ଖୁଲାସା କରିସାରିଛନ୍ତି ଅଡିଟର ଜେନରାଲ ଯାହାକୁ କି ଗଣମାଧ୍ୟମ ମଧ୍ୟ ପ୍ରସାରଣ କରି ସାରିଛି।ପାଖା ପାଖି ୧୫୦ କୋଟି ଟଙ୍କା କେବଳ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଙ୍କ ଭଳି ଅଧିକାରୀଙ୍କ ଦ୍ବାରା ହରିଲୁଟ୍ କରାଯାଇଛି ବୋଲି ତଥ୍ୟ ଆସୁଛି।ତେବେ କଥା ହେଉଛି ଏହି ପ୍ରସଙ୍ଗରେ କେଉଁ ସ୍ଥାନରେ ବି ଓଡ଼ିଶାର ୩୩ ବିଧାୟକ ଓ ୫ ଆଦିବାସୀ ସଂପ୍ରଦାୟର ସାଂସଦ କେଉଁଠି ବି ପଦୁଟିଏ ପାଟି ଖୋଲି ନାହାଁନ୍ତି। କାରଣ ଏହି ଯେଉଁ ଅର୍ଥ ବାଟମାରଣ କରାଯାଇଛି ,ଏହି ଅର୍ଥ ଯେଉଁ ଆଦିବାସୀଙ୍କ ବିକାଶ ନିମନ୍ତେ ଆସିଥିଲା ଏମାନେ ସେହି ଆଦିବାସୀ ମାନଙ୍କର ଦାନା ଖାଇଛନ୍ତି। ଯାହାକୁ କି ବିରାଟ ବିଡମ୍ବନା କୁହାଯାଇପାରେ।

ଜଳ ସତ୍ୟାଗ୍ରହ ବାବଦରେ କୌଣସି ଆଦିବାସୀ ନେତା ମୁହଁ ଖୋଲୁ ନାହାଁନ୍ତି।ରାଷ୍ଟ୍ରପତି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏମିତିକି ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ମଧ୍ୟ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି ବା ଚିନ୍ତା ବ୍ୟକ୍ତ କରୁ ନାହାନ୍ତି।ଯେଉଁ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପାଣି ମାଡ଼ୁଛି ବା ସେହି ସ୍ଥାନର ଆଦିବାସୀଙ୍କ ସର୍ବସ୍ବ ଭାଷୀ ଯାଉଛି ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ନିକଟକୁ କେହି ପତ୍ର ଟିଏ ମଧ୍ୟ ଲେଖୁ ନାହାଁନ୍ତି।ଅନ୍ୟପଟେ NCRB ତଥ୍ୟ ଅନୁଯାୟୀ ୨୦୨୦ ମସିହା ଠାରୁ ଆଦିବାସୀଙ୍କ ଉପରେ ଅତ୍ୟାଚାର ହୁ ହୁ ହୋଇ ବଢ଼ି ଚାଲିଛି।ସବୁଠାରୁ ଚିନ୍ତା ଜନକ ବିଷୟ ହେଉଛି ଓଡ଼ିଶା ହେଉଛି ୫ମ ସର୍ବ ବୃହତ ରାଜ୍ୟ ଯେଉଁ ରାଜ୍ୟକୁ ଆଦିବାସୀ ମାନଙ୍କ ପାଇଁ ଅଧିକ ଅର୍ଥ ଆସୁଛି ଅନ୍ୟପଟେ ଆଦିବାସୀ ମାନେ ମଧ୍ୟ ଶୋଷଣ ବା ଅତ୍ୟାଚାର ର ଶିକାର ହେଉଛନ୍ତି।ତେବେ ଅବହେଳିତ ଆଦିବାସୀ ମାନଙ୍କ ପାଇଁ ଅନେକ ସମୟରେ ସଶକ୍ତ ଆଦିବାସୀ ବା ସାମ୍ବିଧାନିକ ପଦ ପଦବୀରେ ବସିଥିବା ଆଦିବାସୀ ମାନେ କାହିଁକି ମୁହଁ ଖୋଲୁ ନାହାନ୍ତି ତାହା ମଧ୍ୟ ବେଶ୍ ଚିନ୍ତା ଜନକ ହେଲାଣି।ତେବେ ସମୟ ଉପନୀତ ହୋଇଛି ଅବହେଳିତ ଆଦିବାସୀ ମାନଙ୍କ ପାଇଁ ସାମ୍ବିଧାନିକ ବଡ ବଡ ପଦ ପଦବୀରେ ବସିଥିବା ଆଦିବାସୀ ମାନଙ୍କୁ ହିଁ ମୁହଁ ଖୋଲିବାକୁ ପଡ଼ିବ ତେବେ ଯାଇ ଶୋଷଣର ଶିକାର ହେଉଥିବା ଆଦିବାସୀ ସମାଜ ନ୍ୟାୟ ପାଇ ପାରିବା ବା ଏମାନଙ୍କର ଆଖି ଦୃଶିଆ ବିକାଶ ସମ୍ଭବ ହୋଇ ପାରିବ।

Related Posts