
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସେପଟେ ଏହି ମାମଲା ଘଟି ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ଜାହାଙ୍ଗୀରପୁରୀକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏହା ମଧ୍ୟରେ ସେଠାରେ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ଲୋକମାନେ ଏକ ‘ତ୍ରିରଙ୍ଗା ଯାତ୍ରା’ କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଥିବା ଏହି ଶୋଭାଯାତ୍ରାରେ ଲୋକମାନେ ଜାତୀୟ ପତାକା ଉଡ଼ାଇବା ସହିତ ବାବା ସାହେବ ଆମ୍ବେଦକରଙ୍କ ଫଟୋ ପ୍ରଦର୍ଶନ କରିଛନ୍ତି।
ଦୁଇ ସଂପ୍ରଦାୟର ଲୋକ ଏହି ଯାତ୍ରାରେ ଯୋଗଦେଇ ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି। ଦୁଇ ସଂପ୍ରଦାୟର ସଦସ୍ୟମାନଙ୍କୁ ନେଇ ଏକ ମିଳିତ ଶାନ୍ତି କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ଜାହାଙ୍ଗୀରପୁରୀରେ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ଲୋକ ଏଥିରେ ଭାଗ ନେଇଥିଲେ ବୋଲି ଉତ୍ତର-ପଶ୍ଚିତ ଦିଲ୍ଲୀର ଡିସିପି ଉଷା ରଙ୍ଗାନି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।