ଦଶହରା ଭେଟି ବାବଦରେ ଲୋକମାନଙ୍କୁ ମଦ ଓ କୁକୁଡ଼ା ଉପହାର ଦେଲେ ଟିଆରଏସ ନେତା

ହାଇଦ୍ରାବାଦ : ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ପକ୍ଷରୁ ଦଶହରା ଦିନ ନିଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ଅବସରରେ ଦଳର ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ ଜାତୀୟ ରାଜନୀତିରେ ଦଳର ଘୋଷଣା କରିବେ । ତେବେ ତା ପୂର୍ବରୁ ଦଳର ନେତା ଓ ବିଧାୟକମାନେ ଉତ୍ସାହିତ ହୋଇପଡ଼ିଛନ୍ତି ।

ଏବେଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଦଳର ଜଣେ ନେତା ରାଜନାଲା ଶ୍ରୀହରି ଭୋଟରଙ୍କ ଆକୃଷ୍ଟ କରିବାକୁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେ ଦଶହରା ଭେଟି ବାବଦରେ ଲୋକମାନଙ୍କୁ ଗୋଟିଏ ମଦ ବୋତଲ ଓ ତା ସହିତ ଗୋଟିଏ କୁକୁଡ଼ା ଉପହାର ଦେଉଛନ୍ତି । ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଶ୍ରୀହରି ଲୋକମାନଙ୍କୁ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି ଓ ଲୋକମାନେ ଏହା ପାଇବାକୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ।

୫ ତାରିଖରେ ହେବାକୁ ଥିବା ଟିଆରଏସ ସାଧାରଣ ପରିଷଦ ବୈଠକରେ କୌଣସି ନୂଆ ଜାତୀୟ ଦଳ ଗଠନ ସଂପର୍କରେ ଘୋଷଣା କରାଯିବ ନାହିଁ । ବରଂ ଏହି ଦଳର ନାମ କରଣରରେ କେତେକ ପରବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି । ଏହା ସହିତ ଦଳ କେତେକ କଲ୍ୟାଣମୂଳକ ଯୋଜନା ସଂପର୍କରେ ଘୋଷଣା କରିପାରେ ।

Related Posts