ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତକୁ ସବୁବେଳେ ବନ୍ଧୁ ରାଷ୍ଟ୍ର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ବଡ଼ ଝଟକା ଦେଇଛନ୍ତି। ଭାରତ ଉପରେ ଆମେରିକା ଲଗାଇଛି ୨୫% ଶୁଳ୍କ ବା ଟାରିଫ। ଏଥିସହ ଅତିରିକ୍ତ ଭାବେ ଭାରତୀୟ ଆମଦାନୀ ଉପରେ ଜୋରିମାନା ମଧ୍ୟ ଲଗା ଯାଇଛି।

ଏହି ଟାରିଫ ଓ ଜୋରିମାନା ନିର୍ଦ୍ଦେଶ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ସମସ୍ତ ପ୍ରକାରର ଚେତାବାନୀ ଓ ପରାମର୍ଶ ସତ୍ତ୍ୱେ ଭାରତ ସରକାର ରୁଷ ଠାରୁ ତେଲ ଆମଦାନୀ କରୁଛନ୍ତି, ଏଥିପାଇଁ ନୂଆଦିଲ୍ଲୀ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ରମ୍ପ କହିଛନ୍ତି।

ସୋଶାଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଯଦିଓ ଭାରତକୁ ଗୋଟିଏ ବନ୍ଧୁ ରାଷ୍ଟ୍ର ଭାବେ ବିବେଚନା କରୁଥିବା କହିଛନ୍ତି ତଥାପି ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବେଶ ସୀମିତ ରହିଛି। ଅତ୍ୟଧିକ ଟାରିଫ ଯୋଗୁ ଏପରି ସ୍ଥିତି ଦେଖାଯାଇଛି।

ସେ କହିଛନ୍ତି, “ମନେରଖନ୍ତୁ, ଭାରତର ଆମର ବନ୍ଧୁ ହୋଇଥିଲେ ମଧ୍ୟ ଆମେ ବିଗତ ବର୍ଷ ଗୁଡ଼ିକରେ ବହୁତ କମ ବ୍ୟବସାୟ କରିଛୁ। କାରଣ ସେମାନଙ୍କ ଟାରିଫ ବହୁତ ଅଧିକ। ବିଶ୍ୱରେ ଅନ୍ୟତମ ସର୍ବୋଚ୍ଚ ଟାରିଫ ଭାରତ ଲଗାଉଛି। ଅନ୍ୟ ଦେଶ ତୁଳନାରେ ଭାରତ ଅନେକ କଟକଣା ମଧ୍ୟ ରହିଛି।”

ରୁଷ ସହ ଭାରତର ପ୍ରତିରକ୍ଷା ଓ ଏନର୍ଜୀ ସମ୍ପର୍କ କଥା ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, “ସେମାନେ ସବୁବେଳେ ରୁଷ ଠାରୁ ବଡ଼ବଡ଼ ଓ ବିପୁଳ ପରିମାଣର ସାମରିକ ଜିନିଷ ଆଣୁଛନ୍ତି। ଚାଇନା ଭଳି ଭାରତ ମଧ୍ୟ ରୁଷ ଠାରୁ ଅଧିକ ତେଲ କିଣୁଛି। ୟୁକ୍ରେନରେ ରୁଷ ହତ୍ୟା ବନ୍ଦ କରୁ ବୋଲି ପୂରା ଦେଶ ଚାହୁଁଥିବା ବେଳେ ଏପରି ବ୍ୟବସାୟ ଆଦୌ ଠିକ ନୁହେଁ। ତେଣୁ ଭାରତକୁ ୨୫% ଟାରିଫ ସହ ରୁଷ ସହ ବ୍ୟବସାୟ ପାଇଁ ଜୋରିମାନା ଦେବାକୁ ପଡ଼ିବ। ଅଗଷ୍ଟ ୧ରୁ ଏହାକୁ ଲାଗୁ କରାଯିବ।”

ଏହାର ଦିନକ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଭାରତ ଓ ଆମେରିକା ମଧ୍ୟ ଟ୍ରେଡ ଡିଲ ଚୂଡ଼ାନ୍ତ ହୋଇନାହିଁ। ଏହି ସମୟରେ ସେ ୨୫% ଟାରିଫ ଲଗାଇବାର ସଙ୍କେତ ମଧ୍ୟ ଦେଇଥିଲେ। ଆଜି ବିଧିବଦ୍ଧ ଭାବେ ଟ୍ରମ୍ପ ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି।