(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରାଯାଇ ଥିଲା। ଏହି ସର୍ଭେର ଲକ୍ଷ୍ୟଥିଲା ଯେ କୋଭିଡ‌୍ ଲକ୍ଷଣ ଥିବା ରୋଗୀଙ୍କୁ ଆଗୁଆ ଚିହ୍ନଟ କରିବା, ଯାହା ଦ୍ବାରା ସଂକ୍ରମଣ ଅଧିକ ବ୍ୟାପକ ରୂପ ଧାରଣ କରିବା ପୂର୍ବରୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ। ଆସନ୍ତା ମେ’ ୨୪ତାରିଖରୁ ଏହି ସର୍ଭେ ଆରମ୍ଭ ହୋଇ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିଥିଲା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋଭିଡ୍ ରୋଗୀ ଚିହ୍ନଟ ପାଇଁ ହୋଇଥିବା ରାଜ୍ୟବ୍ୟାପୀ ସର୍ଭେରେ କୋଭିଡ ରୋଗୀଙ୍କ ସହିତ ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀସ୍ତରରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ଏହି ସର୍ଭେ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ , ୩ ମାସ ଧରି ହୋଇଥିବା ଏହି ସର୍ଭେରେ ୯୫.୧୮ଲକ୍ଷ ଘରକୁ ଯାଇ ସର୍ଭେ କରାଯାଇଥିଲା। ‌ଅତିକମ୍‌ରେ ୧୫ଦିନ ବ୍ୟବଧାନରେ ଥରେ ଘରକୁ ଘର ଯାଇ ବିଭିନ୍ନ ଲକ୍ଷଣ ସଂପର୍କରେ ଯାଞ୍ଚ କରାଯାଇଥିଲା। ଯେଉଁ ଲୋକମାନଙ୍କର କୋଭିଡ୍‌ ଲକ୍ଷଣ ରହିଥିଲା ସେମାନଙ୍କୁ ଟେଷ୍ଟ କରିବା ଲାଗି କୁହାଯାଇଥିଲା। ସମୁଦାୟ ୧୬.୪୯ଲକ୍ଷ ନମୁନାର ଆର୍‌ଟିପିସିଆର/ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨ଲକ୍ଷ ୪ହଜାର ୧୦୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୬,୫୫୨ ଡାଇବେଟିସ୍ , ୭୩୯୯ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରିନିଂ ପରେ ୧୫,୯୮୮ ସନ୍ଦିଗ୍ଧ କୁଷ୍ଠ ରୋଗୀଙ୍କୁ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬୨୫ କୁଷ୍ଠ ରୋଗୀ ଥିବା ସ୍ପଷ୍ଟ ହୋଇଥିଲା। ଏହା ମଧ୍ୟରେ ସେମାନଙ୍କୁ ଆବଶ୍ୟକ ଏମ୍‌ଡିଟି ଯୋଗାଇ ଦିଆଯାଇଛି। ସେହିପରି ସ୍ପୁଟମ୍ ମାଇକ୍ରୋସ୍କୋପି ଜରିଆରେ ୭୩୯୯ କୁଷ୍ଠ ରୋଗୀକୁ ଚିହ୍ନଟ କରାଯାଇଥିବା ବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ୫୯,୦୭୦ ୫ବର୍ଷରୁ କମ୍ ଶିଶୁଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ସର୍ଭେରେ ୬୭୯୬ ରୋଗୀଙ୍କୁ ଡାଏଲିସିସ୍ ସହିତ ୨୬୫୭ଜଣଙ୍କୁ କେମୋ ଥେରାପି ରୋଗୀ ଚିହ୍ନଟ କରାଯିବା ସହିତ ସେଥି ମଧ୍ୟରୁ ୯୬ ପ୍ରତିଶତ ରୋଗୀଙ୍କୁ ଆବଶ୍ୟକ ଡାଏଲିସି୍ ଓ କେମୋଥେରାପି ଦିଆଯାଇଛି।

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ବର୍ଷ ବିଭିନ୍ନ ଅଭିଯାନ ମାଧ୍ୟମରେ ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ ରୋଗୀଙ୍କୁ ଚିହ୍ନଟ ପାଇଁ ଅଭିଯାନ ଚାଲୁଛି। ପ୍ରତ୍ୟେକ ବର୍ଷ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ କୋଭିଡ ସର୍ଭେ ସମୟରେ ଏତେ ସଂଖ୍ୟକ ଅନ୍ୟ ନୂତନ ରୋଗୀ ଚିହ୍ନଟ ହେବା ଫଳରେ ଗୋଷ୍ଠୀସ୍ତରରେ ସ୍ବାସ୍ଥ୍ୟ ବିଭାଗର ଚାଲୁଥିବା ଅଭିଯାନ ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।