ଟି-ଟ୍ବେଣ୍ଟି ବିଶ୍ବକପ; ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି କେନ୍‌ ୱିଲିୟମସନଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଟିମ । ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚେରେ ଆୟର୍ଲାଣ୍ଡକୁ ୩୫ ରନ୍‌ରେ ହରାଇଛି କିୱି ଟିମ । ଫଳରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟ ସହ ସେମି ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ । ଆୟର୍ଲାଣ୍ଡକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ଗ୍ରୁପ ପର୍ଯ୍ୟାୟରେ ମୋଟ ୭ ପଏଣ୍ଟ ମିଳିଛି । ଦଳର ରନରେଟ ମଧ୍ୟ ବହୁତ ଭଲ ରହିଛି ।

ଏବେ ବି ‘ଗ୍ରୁପ ଏ’ରୁ ଦୁଇଟି ମ୍ୟାଚ ବାକି ରହିଛି । ଏହାପରେ ‘ଗ୍ରୁପ ଏ’ରୁ ଦ୍ବିତୀୟ ସେମିଫାଇନାଲ ଖେଳିବାକୁ ଯାଉଥିବା ଟିମ ସ୍ପଷ୍ଟ ହୋଇଯିବ । ଏହାସହିତ ନିଜ ଗ୍ରୁପରେ ନ୍ୟୁଜିଲାଣ୍ଡ ଦଳ ଶୀର୍ଷ ସ୍ଥାନରେ ରହିଛି । ବର୍ତ୍ତମାନ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ସହ ଦଳର ଟକ୍କର ହୋଇପାରେ । ଯଦି ଏହି ଦୁଇ ଦଳ ଭଲ ପ୍ରଦର୍ଶନ କରି ଜିତନ୍ତି ତେବେ ନ୍ୟୁଜିଲାଣ୍ଡ ବିଦା ହୋଇପାରେ । ମାତ୍ର ଏହାର ସମ୍ଭାବନା ବହୁତ କମ ରହିଛି ।

ତେବେ ଆଜିର ମ୍ୟାଚ୍ ରେ ଆୟର୍ଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଦଳ ପକ୍ଷରୁ ଫିନ ଆଲେନ ୩୩ ଓ ଡେଭନ କାନଭେ ୨୮ ରନ କରି ଏକ ଦମଦାର ଆରମ୍ଭ କରିଥିଲେ । ଏହାପରେ ଅଧିନାୟକ କେନ ୱିଲିୟମସନ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୩୫ ବଲରେ ୬୧ରନର ଦମଦାର ପାଳି ଖେଳିଥିଲେ । ମଧ୍ୟ ଭାଗରେ ମିଚେଲ ୨୧ ବଲରେ ୩୧ ରନ କରିଥିଲେ ।

ଏହି କ୍ରମରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଆୟର୍ଲାଣ୍ଡରୁ ୧୮୬ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ଆୟର୍ଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜୋଶ ଲିଟଲ ଦମଦାର ପ୍ରଦର୍ଶନ କରିଥିଲେ । ବିଶ୍ବକପରେ ସେ ଦ୍ବିତୀୟ ହ୍ରାଟ୍ରିକ ନେଇଛନ୍ତି । କେନ ୱିଲିୟମସନ, ଜିମି ନିଶାମ ଏବଂ ମିଚେଲଙ୍କୁ ଶିକାର କରିଥିଲେ । ୪ ଓଭରରେ ୨୩ ରନ ଦେଇ ୩ ୱିକେଟ ନେଇଛନ୍ତି ଜୋଶ ଲିଟଲ ।

୧୮୬ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆୟର୍ଲାଣ୍ଡ । ଆରମ୍ଭରୁ ଦଳର ପ୍ରଦର୍ଶନ ଭଲ ଥିଲା । ଧୀରେ ଧୀରେ ଦଳରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ପାଲ ଷ୍ଟାଲିନ ୨୭ ବଲରେ ୩୭ ରନ କରିଥିଲେ । ଅନ୍ୟତମ ଓପନର ତଥା ଅଧିନାୟକ ଆଣ୍ଡ୍ରୁ ବାଳବିରନୀ ୨୫ ବଲରେ ୩୦ ରନ କରିଥିଲେ । ଏ ଦୁହିଁଙ୍କ ଛଡା ଅନ୍ୟ କେହି ବ୍ୟାଟର ବେଶି ସମୟ ତିଷ୍ଠି ପାରି ନଥିଲେ । ନିର୍ଦ୍ଧାରିତ ଓଭରରେ ଦଳ ୯ ୱିକେଟ ହରାଇ ୧୫୦ରନ କରିବାକୁ ସକ୍ଷମ ହୋଇଥିଲା । ୩୫ ରନରେ ଦଳ ଆଜିର ମ୍ୟାଚ୍ ପରାସ୍ତ ହୋଇଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି ।

Related Posts