ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ପୂର୍ବତନ ହାର୍ଡକୋର ମାଓବାଦୀ: ଭବ୍ୟ ବିବାହ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କଲା କଳାହାଣ୍ଡି ପୋଲିସ

କଳାହାଣ୍ଡି: ପ୍ରେମ ଚିରନ୍ତନ, ଶାଶ୍ୱତ ଓ ଅମର | ପ୍ରେମ କେତେବେଳେ କାହାକୁ ଭଲରୁ ଅତି ଭଲ କରି ଦିଏ ତ ଆଉ କେତେବେଳେ, ପ୍ରେମ ଖରାପ ବାଟରୁ ଟାଣି ଆଣି ଭଲ ବାଟରେ ଛିଡା କରି ଦିଏ | ମଣିଷକୁ ବଦଳାଇ ଦିଏ ପ୍ରେମ | ତେବେ ଏପରି ଏକ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଲାଲ ସଲାମ ନାରା ଦେଇ ବଣ ଜଙ୍ଗଲରେ | ଘୁରି ବୁଲିବା, ଲାଲ ବାହିନୀର ଲାଲ ଝଣ୍ଡା ଧରି ଦିନେ ସମାଜରେ ଆତଙ୍କ ଖେଳାଇବାରେ ଏମାନେ ଥିିଲେ ମାହିର । ଭୟର ଆତଙ୍କ ନୁହେଁ ବରଂ ପ୍ରେମ ଓ ଭଲପାଇବା ଜରିଆରେ ମଣିଷ ହୃଦୟ ଜୟ କରାଯାଇ ପାରେ ବୋଲି ବୁଝିବା ପରେ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ।

ଆଉ ପ୍ରଶାସନର ଥଇଥାନ ପରେ ଦୁଇ ମାଓବାଦୀ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହା ଜାଣିବା ପରେ ଏମାନଙ୍କ ବିବାହ କରିବା ନେଇ ଆଗେଇ ଆସିଥିଲା ପୋଲିସ ବାହିନୀ । ମାଓ ସଂଗଠନ ଛାଡିଥିବା ପ୍ରେମୀ ଯୁଗଳଙ୍କ ଭବ୍ୟ ବିବାହ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲା କଳାହାଣ୍ଡି ପୋଲିସ । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପୂର୍ବତନ ହାର୍ଡକୋର ମାଓବାଦୀ ରାମଦାସ ଓ କମଲଦେଇ ।

ତେବେ ପୋଲିସ ପକ୍ଷରୁ ଆୟୋଜନ ହୋଇଥିବା ଏଭଳି ନିଆରା ବାହାଘର ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲାଲ ସଲାମରୁ ଆରମ୍ଭ ହୋଇ ଲାଲ ସିନ୍ଦୁରରେ ଶେଷ ହୋଇଛି ରାମଦାସ ଓ କମଲଦେଇଙ୍କ ଜୀବନର ଯାତ୍ରା ।

ଭବାନୀପାଟଣା ପୋଲିସ ରିଜର୍ଭ ପଡିଆ ଶିବ ମନ୍ଦିରରେ ଏହି ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ବିବାହ ଉତ୍ସବରେ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ରୀତିନୀତି ଅନୁସାରେ ଉଭୟ ପ୍ରେମୀ ଯୁଗଳ ପରସ୍ପର କୁ ବିବାହ କରିଛନ୍ତି |

Related Posts