ଋଷ-ୟୁକ୍ରେନ୍‌ ଯୁଦ୍ଧକୁ ପୁରିଲା 2 ମାସ, ୟୁକ୍ରେନର ବିଭିନ୍ନ ସହରରେ ରୁଷର ଜୋରଦାର ଗୁଳି ବର୍ଷା

କିଭ: ଫେବୃୟାରୀ ୨୪ ରୁ ଋଷ-ୟୁକ୍ରେନ୍‌ ମଧ୍ୟରେ ଆରଂଭ ହୋଇଥିବା ଯୁଦ୍ଧକୁ ଇତି ମଧ୍ୟରେ ବିତିଯାଇଛି ୨ ମାସ । ତଥାପି କମିନି ଯୁଦ୍ଧ ର ସେହି ଭୟଂକର ବିଭୀଷିକା । ଋଷ ପୂର୍ବ ୟୁକ୍ରେନ୍‌ରେ ଏହାର ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ୍‌ ପରେ ଏବେ ଋଷ୍‌ ଖାରକିଭ, ମାଇ‌‌କୋଲେଭ୍‌ ଏବଂ ଲୁହାଂସ୍କରେ ଜୋରଦାର ଗୋଳାବର୍ଷା କରୁଛି । ୟୁକ୍ରେନର ଗୁରୁତ୍ବପୂର୍ଣ୍ଣ ବନ୍ଦର ସହର ମାରିଆପୋଲକୁ ଋଷ ଗତ ୨ ଦିନ ତଳେ ଅକ୍ତିହାର କରିଥିବା ନେଇ ଘୋଷଣା କରିଥିଲା । ତେବେ ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟ ଛାଡିଦେଲେ ସମଗ୍ର ମାରିଆପୋଲ ଋଷ ନିଜ ଅକ୍ତିଆରକୁ ନେଇସାରିଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ । କିନ୍ତୁ ଗତକାଲି ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ଋଷ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

ତେବେ ପୂର୍ବ ୟୁକ୍ରେନ୍‌ରେ ଋଷର ଆକ୍ରମଣର ମୁକାବିଲା କରିବା ପାଇଁ ୟୁକ୍ରେନ୍‌ ବାହିନୀ ସବୁ ଉଦ୍ୟମ କରୁଛନ୍ତି । ସେମାନେ ଋଷର ୯ଟି ଟ୍ୟାଙ୍କ୍‌, ୧୩ଟି ସାମରିକ ଯାନ, ଗୋଟିଏ ଟ୍ୟାଙ୍କର୍‌ ଏବଂ ୩ଟି ଆର୍ଟିଲେରି ସିଷ୍ଟମ୍‌ ଧ୍ବଂସ କରିଦେଇଥିବା ଦାବି କରିଛନ୍ତି । ଚେର୍ନିହବରେ ପୁଣି ନୁଆ କବର ଖନନ ଚାଲିଛି । ଏଠାରେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସେମାନଙ୍କୁ କବର ଖୋଳି ପୋତି ଦିଆଯାଉଛି । ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ମୂଳ ଲକ୍ଷ୍ୟ ବୋଲି ଋଷ ଜେନେରାଲ କହିଛନ୍ତି ।

ୟୁକ୍ରେନର ଏକ ଗୁପ୍ତ ସଂସ୍ଥାରୁ ପ୍ରକାଶ କରାଯାଇଛି ଯେ, ଶୁକ୍ରବାର ଦିନ କମାଣ୍ଡ ପୋଷ୍ଟ ଉପରେ ଆକ୍ରମଣ କରାଯାଇ ଋଷର ୨ ଜେନେରାଲଙ୍କୁ ହତ୍ୟା କରାଯାଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । କିନ୍ତୁ ଏନେଇ ଋଷ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପୂର୍ବଦିନ ତୁଳନାରେ ୧୨ ଗୁଣ ଅଧିକ ଗୋଳାବର୍ଷା ହେଉଛି ବୋଲି ଲୁହାଂସ୍କ ଗଭର୍ଣ୍ଣର କହିଛନ୍ତି । ପୋପାସନା‌ରେ ସାଧାରଣ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ବୋମାମାଡ଼ ହେଉଛି । ରାସ୍ତାଘାଟରେ ବି ଲଢ଼େଇ ଆରମ୍ଭ ହୋଇଯାଇଛି ।

ଦକ୍ଷିଣ ସହର ମାଇକୋଲେବରେ ଋଷ ଗତକାଲି ରାତିସାରା ବୋମାବର୍ଷା କରିଛି । ଆଗକୁ ଇଷ୍ଟର ଥିବାବେଳେ ମାଇକୋଲେବରେ କର୍ଫ୍ୟୁ ଘୋଷଣା ହୋଇଛି। ଉତ୍ତରପୂର୍ବ ସହର ଖାରକିବ୍‌ରେ ମଧ୍ୟ ଋଷ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଗୋଳାବର୍ଷା କରୁଛି । ଖାରକିଭ୍‌ରେ ଋଷ ୟୁକ୍ରେନ୍‌ର ଏକ ଯୁଦ୍ଧ ବିମାନ ଖସାଇ ଦେଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ଋଷ କ୍ରିମିଆକୁ ଏକ ଲ୍ୟାଣ୍ଡ କରିଡର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଖାରକିଭ ସହର ଉପରେ ମଧ୍ୟ ବୋମା ବର୍ଷଣ ଜାରି ରଖିଛି ଋଷ । ଖାରକିଭର ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟ ଓଲେହ ସିନୁହୁବୋଭ କହିଛନ୍ତି, ଋଷର ସୈନ୍ୟମାନେ ଆବାସିକ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଛନ୍ତି । ଗତକାଲି ହୋଇଥିବା ଆକ୍ରମଣରେ ୧୯ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଦିନଧରି ଖାରକିଭ ଉପରେ ଆକ୍ରମଣ ଜାରି ରଖିଛି ଋଷ ।

Related Posts