ଉଦ୍ଧବଙ୍କୁ ଗଡକରୀଙ୍କ ଟାର୍ଗେଟ; “ବିଜେପି ସେହି ଦଳ ନୁହେଁ, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପୁଅ ଆପେ ଆପେ ମନ୍ତ୍ରୀ ହୋଇଯିବ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଜଣେ ସାଧାରଣ କର୍ମୀ ନିଜ କର୍ମରେ ପାର୍ଟିର ଶୀର୍ଷ ସ୍ଥାନରେ ପହଞ୍ଚିବା କେବଳ ବିଜେପିରେ ହିଁ ସମ୍ଭବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ। ତେବେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚେନ୍ଦ୍ରଶେଖର ବବନକୁଲେଙ୍କ ପ୍ରଶଂସାରେ ଏହା କହିଛନ୍ତି ଗଡକରୀ । ଏହାସହ ସେ କହିଛନ୍ତି, ବିଜେପି ସେହି ଦଳ ନୁହେଁ, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପୁଅ ଆପେ ଆପେ ମନ୍ତ୍ରୀ ହୋଇଯିବ । କୁହାଯାଉଛି ଏପରି ମନ୍ତବ୍ୟ ଦେଇ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

ଗଡକରୀ କହିଛନ୍ତି, କୌଣସି ନେତାର ପୁଅ ହେବା କିଛି ଭୁଲ ନାହିଁ । କିନ୍ତୁ ଦଳରେ କୌଣସି ପଦବୀ ପାଇବା ପାଇଁ ଲୋକଙ୍କୁ ନିଜର ଯୋଗ୍ୟତା ଦେଖାଇବାକୁ ପଡିବ । ଦିନେ ନାଗପୁରରେ ଅଟୋ ରିକ୍ସା ଚଳାଉଥିବା ଚନ୍ଦ୍ରଶେଖର ଆଜି ରାଜ୍ୟର ଅଧ୍ୟକ୍ଷ ହେବା ପାଇଁ ଲମ୍ୱା ରାସ୍ତା ଅତିକ୍ରମ କରିଛନ୍ତି । ଏହା ପୂର୍ବରୁ ୨୦୧୪ ମସିହାରେ ଦେବେନ୍ଦ୍ର ଫଡଣଭୀସଙ୍କ ମନ୍ତ୍ରିମଣ୍ଡଳରେ ରାଜ୍ୟର ଶକ୍ତି ମନ୍ତ୍ରୀ ଥିଲେ । ତେବେ ୨୦୧୯ ମସିହାରେ ଦଳ ତାଙ୍କୁ ଟିକେଟ୍ ଦେବାକୁ ମନା କରି ଦେଇଥିଲା। କେନ୍ଦ୍ରମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ୨୦୧୯ ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ଟିକେଟ ମିଳି ନଥିଲା । କିନ୍ତୁ ସେ ନିରାଶ ହୋଇ ନଥିଲେ । ଏହି କାରଣରୁ ତାଙ୍କୁ ସଠିକ ସମୟରେ ପାର୍ଟି ଏହି ପଦ ଦେଇଛି ବୋଲି ଗଡକରୀ କହିଛନ୍ତି।

Related Posts