ନବନିର୍ବାଚିତ ବାଚସ୍ପତିଙ୍କୁ ନେଇ ପୁଣି ଥରେ ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ ଗୋଷ୍ଠୀ: 11 ତାରିଖରେ ହେବ ଶୁଣାଣୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏବେ ରାଜନୈତିକ ମହାନାଟକ ଚାଲିଥିବା ବେଳେ, ପୁଣି ଥରେ ସୁପ୍ରିମକୋର୍ଟରେ ପହଂଚିଛି ମହାରାଷ୍ଟ୍ର ରାଜନୀତି । ପୁଣି ଥରେ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋ୍ଟ ଯାଇଛନ୍ତି । ସିନ୍ଧେ ଗୋଷ୍ଠୀ ଦ୍ବାରା ମନୋନୀତ ହୋଇଥିବା ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ନବନିର୍ବାଚିତ ବାଚସ୍ପତି ସ୍ବୀକାର କରିବା ପରେ ଏହାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଭି ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ଏହି ମାମଲା ଦାଏର କରିଛନ୍ତି । ତେବେ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନକାରୀ ଦାବି କରିଥିଲେ । ଚଳିତ ମାସ 11 ତାରିଖରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ରାଜି ମଧ୍ୟ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜେକେ ମହାଶ୍ବେରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଆବେଦନକାରୀ ଓକିଲ କହିଛନ୍ତି, ଉଦ୍ଧବ ଠାକରେ ବର୍ତ୍ତମାନ ଶିବସେନାର ମୁଖ୍ୟ ରହିଛନ୍ତି । ଏପରି ସ୍ଥଳେ ସିନ୍ଧେ ଗୋଷ୍ଠୀ ଦ୍ବାରା ମନୋନୀତ ହୋଇଥିବା ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ସ୍ବୀକୃତି ଦେବାରେ ବାଚସ୍ପତିଙ୍କର କୌଣସି କ୍ଷମତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଆନୁଷ୍ଠାନିକ ଭାବେ ଶିବସେନାର ମୁଖ୍ୟ ସଚେତକ ହୋଇଛନ୍ତି ସୁନିଲ ପ୍ରଭୁ । ଏହି ମାମଲା ନେଇ ସିନ୍ଧେ ଗୋଷ୍ଠୀ ପ୍ରଥମରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିବାକୁ ମନା କରି ଦେଇଥିଲେ । ଏପରି ସ୍ଥଳେ ନବ ନିର୍ବାଚିତ ବାଚସ୍ପତିଙ୍କ ଏପରି କାର୍ଯ୍ୟ ଆଇନତଃ ସଠିକ ନୁହେଁ ବୋଲିି ଆବେଦନକାରୀ ଓକିଲ କହିଛନ୍ତି ।

Related Posts