ନୂଆ ମହାରାଷ୍ଟ୍ର ସରକାର ହେଉଛି ଇଡି ସରକାର: ଦେବେନ୍ଦ୍ର ଫଡନବୀସ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ସାରା ଦେଶର ନଜର ରହିଛି । ସେପଟେ ମହାରାଷ୍ଟ୍ର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ରେ ଜିତିବା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ‘ମହା ବିକାଶ ଅଘାଡ଼ି’ ଗଠବନ୍ଧନକୁ କଡ଼ା ଜବାବ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଧାନସଭାରେ ମତଦାନ ସମୟରେ ଇଡି-ଇଡି ସ୍ଲୋଗାନ ଦିଆଯାଉଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି । ପୂର୍ବରୁ ଇଡି ଡରରେ ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା କିଛି ବିଧାୟକ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ ହାତ ମିଳାଇଥିବା ନେଇ ବିରୋଧୀ ଆରୋପ ଲଗାଇଥିଲେ। ଆଜି ‘ଫ୍ଲୋର୍ ଟେଷ୍ଟ୍’ରେ ଜିତିବା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ବିରୋଧୀଙ୍କ ଏହି ଏହି କଥାକୁ ସ୍ବୀକାର କରିଛନ୍ତି।ଦେବେନ୍ଦ୍ର ଫଡନବୀସ୍ କହିଛନ୍ତି ଯେ, ହଁ, ମହାରାଷ୍ଟ୍ରରେ ଇଡି ସହାୟତାରେ ସରକାର ଗଠନ କରାଯାଇଛି। ଏଥିରେ ଇର ଅର୍ଥ ହେଉଛି ଏକନାଥ ସିନ୍ଦେ ଏବଂ ଡି ଅର୍ଥ ଦେବେନ୍ଦ୍ର ଫଡନବୀସ୍।

ସେପଟେ ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍ ଟେଷ୍ଟ୍’ରେ ସିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍ ମିଳିଥିଲା। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା (ଫ୍ଲୋର୍ ଟେଷ୍ଟ୍) ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ। ଜେଲ୍ରେ ଥିବାରୁ ଆଜିର ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ଏନ୍ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍ ଦେଇ ପାରିନାହାନ୍ତି। ଏହାଛଡ଼ା, ସମାଜବାଦୀ ପାର୍ଟି ଏବଂ ‘ଏଆଇଏମ୍ଆଇଏମ୍’ର ବିଧାୟକମାନେ ଆଜିର ‘ଫ୍ଲୋର୍ ଟେଷ୍ଟ୍’ରେ ଭୋଟ୍ ଦେଇ ନାହାନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts