କିଭ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଲେ ଭେଟ

ୟୁକ୍ରେନ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ସେନା ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ କରି ଚାଲିଛନ୍ତି । ଯାହାର କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା । ତେବେ ଏହି ଆକ୍ରମଣ ମଧ୍ୟରେ ବ୍ରିଟେନ ପ୍ରଧାମନ୍ତ୍ରୀ ବୋରିଶ ଜନସନ କିଭ ଗସ୍ତ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲଂସ୍କିଙ୍କୁ ଭେଟିଛନ୍ତି। ୟୁକ୍ରେନ ରାଷ୍ଟ୍ରପତିଙ୍କ ସୂତ୍ରରୁ ଏହି ସୂଚନା ଆସିଛି।

ଜେଲଂସ୍କି ଶନିବାର କହିଛନ୍ତି ଯେ ମସ୍କୋ ସହିତ ଆଲୋଚନା ଲାଗି ୟୁକ୍ରେନ ଏବେବି ପ୍ରସ୍ତୁତ ଅଛି। ତେବେ କିଭ ନିକଟସ୍ଥ ଭୂଚା ଓ ଅନ୍ୟ କ୍ଷେତ୍ରରେ ଋଷୀୟ ସୈନ୍ୟଙ୍କ ଦ୍ୱାରା ନିରସ୍ତ୍ର ଜନତାଙ୍କ ଉପରେ ଅତ୍ୟାଚାର ଖବର ପରଠାରୁ ଏହି ଆଲୋଚନା ବନ୍ଦ ରହିଛି।

ସେପଟେ କ୍ରେମେଷ୍ଟର୍କସ୍ ରେଳ ଷ୍ଟେସନ ଉପରେ ଋଷୀୟ ମିଜାଇଲ ମାଡ ହୋଇଛି। ଫଳରେ ଟ୍ରେନ ଯୋଗେ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ଅପେକ୍ଷା କରିଥିବା ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଷ୍ଟେସନ ଉପରେ ଏହି ଆକ୍ରମଣ ହୋଇଛି ଏହା ପୂର୍ବ ୟୁକ୍ରେନର ଡୋନେସ୍କ ଅଞ୍ଚଳରେ ଅବସ୍ଥିତ।

ତେବେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଋଷିଆ ଅସ୍ୱୀକାର କରିଛି। ଏପରି କୌଣସି ଠିକଣାରେ କ୍ଷେପଣାସ୍ତ୍ର ମାଡ କରିନଥିବା ଋଷିଆ କହିଛି। ଅନ୍ୟପକ୍ଷରେ ଆମେରିକା ଓ ଇୟୁରୋପିୟ ୟୁନିୟନ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଇତିମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ନିଜର ବଡ଼ କ୍ଷତି ହୋଇଥିବା ଋଷିଆ ମଧ୍ୟ ସ୍ୱୀକାର କରିଛି। ଋଷିଆ ସବୁ ରାସ୍ତାରେ କ୍ଷତିରେ ପଡିଥିବା କହିଛି । ସୈନ୍ୟ, ଉପକରଣ, ଯୁଦ୍ଧାସ୍ତ୍ର ସବୁ ବାବଦେ ଋଷିଆ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବାର ସ୍ୱୀକାର କରିଛି।

Related Posts