ଋଷ ସେନା ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଥିବା ବେଳେ, ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଛି । ତେବେ ଏହାରି ମଧ୍ୟରେ ୟୁକ୍ରେନ୍ର ୨୬ ବର୍ଷୀୟ ମେମ୍ୱର ଅଫ୍ ପାର୍ଲିଆମେଣ୍ଟ ବା ସାଂସଦ ସ୍ବିତୋସ୍ଲାଭ୍ ୟୁରାସ୍ ଗାର୍ଲଫ୍ରେଣ୍ଡର ମୃତ୍ୟୁ ହୋଇଛି । ଗାର୍ଲଫ୍ରେଣ୍ଡର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ସାଂସଦ, ଟ୍ୱଟ୍ କରି ଶୋକ ପ୍ରକାଶ କରିଛନ୍ତି । ଋଷ୍ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ୨୫ ବର୍ଷୀୟା ସାମ୍ୱାଦିକ ଆଲେକ୍ସଜାଣ୍ଡାର୍ କୁଭସିନୋଭା ପ୍ରାଣ ହରାଇଥିଲେ ।
ମାର୍ଚ୍ଚ ୧୫ ତାରିଖ ଦିନ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟନ୍ ଗେରେଶେଙ୍କୋ ତାଙ୍କ ଦେହାନ୍ତ ହୋଇଥିବା ନେଇ ଘୋଷଣା କରିଥିଲେ । ଫକ୍ସ ନ୍ୟୁଜ୍ ଟିଭି କ୍ୟାମେରାମ୍ୟାନ୍ ପିଆର ଜାକ୍ରେଭସ୍କିଙ୍କ ସହ ଆଲେକ୍ସଜାଣ୍ଡାର୍ଙ୍କୁ ଋଷ୍ ସେନା ହତ୍ୟା କରିଥିବା ସେ କହିଥିଲେ ।
ସ୍ବିତୋସ୍ଲାଭ୍ ୟୁରାସ୍ ଟ୍ୱିଟ୍ କରି କହିଛନ୍ତି ଯେ, କିଏଭ୍ର ସୁନ୍ଦରୀ ଆଲେକ୍ସଜାଣ୍ଡାର୍ କୁଭସିନୋଭା । ଜଣେ ଯୁବ ସାମ୍ୱାଦିକାଙ୍କୁ ଋଷ୍ ସେନା ହତ୍ୟା କରିଛି । ମୁଁ ତାଙ୍କୁ ଭଲ ପାଉଥିଲି । ଏକ ଦଶନ୍ଧିର ସୁଖ ଏବଂ ଦୁଃଖ, ଆନନ୍ଦ ଏବଂ ଯନ୍ତ୍ରଣାର ଭାଗୀଦାରି ସେ । କେବଳ ମୃତ୍ୟୁ ହିଁ ଆମକୁ ଅଲଗା କରିପାରେ । ଘୃଣା କଣ ମୁଁ ବର୍ତ୍ତମାନ ଶିଖିଲି । କେବେ ସେମାନଙ୍କୁ ତୁମେ ଭୁଲି ପାରିବନି । ସେମାନଙ୍କୁ କେବେ ବି କ୍ଷମା କରାଯିବ ନାହିଁ ।
ସୂଚନାଯୋଗ୍ୟ, ଆଜି କୁ ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ 23 ଦିନରେ ପହଂଚିଛି ।