ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଚିହ୍ନଟ

ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଛି ପୋଲିସ । ବାବା ମହାପାତ୍ର, ହରି ପଣ୍ଡା, କୁନୁମୁନି ଓ ଅନ୍ୟଜଣେ ଅଭିଯୁକ୍ତ ଟୁଟୁକୁ ଖୋଜୁଛି ପୁରୀ ପୋଲିସ । ମୃତ ସେବାୟତ କୃଷ୍ଣଚନ୍ଦ୍ରଙ୍କ ଭାଇ ନରସିଂହ ଦେଇଥିବା ଏତଲାରେ ଏମାନଙ୍କ ନାଁ ଉଲ୍ଲେଖ ରହିଛି । ମୃତ୍ୟୁ ପୂର୍ବରୁ କୃଷ୍ଣଚନ୍ଦ୍ର କୁଆଡେ ଏମାନଙ୍କ ନାଁ ନେଇଥିଲେ ବୋଲି ଏଫଆଇଆର କପିରେ ଉଲ୍ଲେଖ ଅଛି । ଏମାନଙ୍କ ସମେତ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଉପରେ ବି ପୋଲିସର ତଦନ୍ତ କେନ୍ଦ୍ରୀଭୂତ ହୋଇଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡର ସଂପୃକ୍ତି ଥିବା ସନ୍ଦେହ ବଢିବାରେ ଲାଗିଛି । କାରଣ ନରସିଂହଙ୍କ ଅଭିଯୋଗ ଅନୁସାରେ, ହତ୍ୟାକାରୀ ଗଲାବେଳେ କହୁଥିଲେ ଯେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହୋଇଛି ।

ଏତଲାରେ ଥିବା ୬ ଜଣଙ୍କୁ ସ୍କାନରରେ ନେଇଛି ପୋଲିସ । ଏମାନଙ୍କ ଭିତରୁ କେବଳ ହରି ପଣ୍ଡାକୁ ଛାଡିଦେଲେ ଆଉ ସମସ୍ତେ ସେବାୟତ । ତେବେ ଅଭିଯୁକ୍ତ ଟୁଟୁର କ୍ରାଇମ ରେକର୍ଡ ବେଶ ଲମ୍ବା । ବ୍ରହ୍ମପୁରର ବହିଚର୍ଚ୍ଚିତ ଚିକେନ ରବି ହତ୍ୟାକାଣ୍ଡ ସହ ତାର ସଂପୃକ୍ତି ଥିଲା । ହତ୍ୟାକାରୀଙ୍କୁ ଧରିବା ପାଇଁ ଜିଲ୍ଲା ବାହାରକୁ ଯାଇଛି ସ୍ୱତନ୍ତ୍ର ପୋଲିସ ଟିମ୍ । ଗଠନ ହୋଇଥିବା ୪ଟି ସ୍ୱତନ୍ତ୍ର ଟିମ୍ ପୁରୀ ସମେତ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଚଢାଉ କରିଛି ।

ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ବ୍ୟକ୍ତିଗତ ଶତ୍ରୁତା, ଜମିଜମା ମାମଲା ଓ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରୁଛି ପୋଲିସ ।

Related Posts