ରୁଷ ନରସଂହାରକୁ ନେଇ ବେଶ କ୍ଷୋଭର ସହ ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କଲେ ୟୁକ୍ରେନ ରାଷ୍ଟ୍ରପତି

ମିଳିତ ଜାତିସଂଘ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଯୁଦ୍ଧ ଆଜିକୁ ୪୧ ଦିନରେ ପହଁଚିଛି | ତେବେ ଏହି ଯୁଦ୍ଧ ମଧ୍ୟରେ ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି କ୍ଷୋଭ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷର ଆଭିମୁଖ୍ୟ କୌଣସି ଆତଙ୍କୀ କାର୍ଯ୍ୟକଳାପ ଠାରୁ କମ ନୁହେଁ ବୋଲି କହିଛନ୍ତି | “ରୁଷ ସେନା ସାଧାରଣ ଲୋକଙ୍କୁ ସେମାନଙ୍କ ଆପାର୍ଟମେଣ୍ଟରେ ହତ୍ୟା କରିଛି। ସେମାନଙ୍କ ଘରକୁ ଗ୍ରେନେଡ ମାଡ଼ରେ ଉଡ଼ାଇ ଦେଇଛି। ଲୋକମାନେ କାର୍‌ରେ ଯାଉଥିବା ବେଳେ ମଝି ରାସ୍ତାରେ ଟ୍ୟାଙ୍କ ମଡ଼ାଇ ହତ୍ୟା କରାଯାଇଛି। ନିଜର ଖୁସି ପାଇଁ ସେମାନେ ଲୋକଙ୍କ ହାତ ଓ ବେକ କାଟି ଦେଇଛନ୍ତି। ନିଜ ପିଲାମାନଙ୍କ ଆଗରେ ମହିଳାମାନଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି। ସେମାନଙ୍କ କଥା ରୁଷ ସେନାକୁ ଭଲ ଲାଗୁନି ବୋଲି ଜିଭ କାଟି ଦିଆଯାଉଛି। ଆତଙ୍କବାଦୀମାନେ ଯେଉଁ ସବୁ କାମ କରନ୍ତି, ସେ କାମ ରୁଷ କରୁଛି।

ଆଇଏସଆଇଏସ ଭଳି ରୁଷ ନରସଂହାର କରିଛି। ଜାତିସଂଘ ତୁରନ୍ତ କୌଣସି ପଦକ୍ଷେପ ନେଉ। ନଚେତ ଜାତିସଂଘ ବିଲୀନ ହେଇ ଯାଉ ବୋଲି ବେଶ କ୍ଷୋଭର ସହ କହିଛନ୍ତି ଜେଲେନସ୍କି। ୧୫ ଜଣିଆ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରାଯାଉ। ଫଳରେ ନିଜର ଆକ୍ରମଣ ଓ ନିଜର ଯୁଦ୍ଧଖୋର ଆଭିମୁଖ୍ୟକୁ ଆଉ ରୁଷ ବିରୋଧ କରିପାରିବ ନାହିଁ।

ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ହମଲା କରି ଚାଲିଛି। କୌଣସି ବିଦେଶୀ ରାଷ୍ଟ୍ର ଏଯାଏ ୟୁକ୍ରେନ ସପକ୍ଷରେ ବାହାରି ନାହାନ୍ତି। ତଥାପି ଜେଲେନସ୍କି ହାର ନ ମାନି ମୁକାବିଲା କରି ଚାଲିଛନ୍ତି। ସବୁବେଳେ କ୍ଲିନସେଭ କରୁଥିବା ଜେଲେନସ୍କିଙ୍କର ଏବେ ଦାଢ଼ି ବଢ଼ି ଯାଇଛି। ଆଜି ସେ ସେନା ପରିଧାନ କରୁଥିବା ଗ୍ରୀନ ଟି-ଶାର୍ଟ ପିନ୍ଧି ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ବୋଧନ କରିଛନ୍ତି।

ତେବେ ରୁଷ ପ୍ରତିନିଧି ଜାତିସଂଘ ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related Posts