ଶ୍ରୀଲିଙ୍ଗରାଜ ମନ୍ଦିରକୁ ନେଇ ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଝଟକା: ଅଧ୍ୟାଦେଶ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଲାଗୁ ନେଇ ଜାରି କରିଥିବା ଅଧ୍ୟାଦେଶ ଲାଗିଲା ରୋକ | ଓଡିଶା ସରକାରଙ୍କ ଲିଙ୍ଗରାଜ ଅର୍ଡିନାନ୍ସ ବା ଅଧ୍ୟାଦେଶ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏପରି ଅଧ୍ୟାଦେଶ ଆମସାର ଆକ୍ଟର ବିରୁଦ୍ଧାଚରଣ । ତେଣୁ ଆପତ୍ତି ଉଠାଇ କେନ୍ଦ୍ର ରୋକ୍ ଲଗାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ରାଜଭବନ ମୁଖ୍ୟ ଶାସନ ସଚିବଙ୍କୁ ସ୍ପଷ୍ଟୀକରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଥିବା ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି ।

ଏହି ଆଇନ ଅଧିନରେ ଲିଂଗରାଜ ମନ୍ଦିରକୁ ଲିଙ୍ଗରାଜ କମିଟି ଅଧୀନକୁ ଅଣାଯାଇଥିଲା । ଏହି ଅଧ୍ୟାଦେଶକୁ ଭେଟିଂ ବା ପୁନଃ ନୀରିକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର ଏହି ଆଇନ ଉପରେ ଆପତି ଉଠାଇଛନ୍ତି । ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପଟେ ଆଧୁନିକ ଢାଂଚା ନିର୍ମାଣ କରି ଉକ୍ତ ଆଇନର ଉଂଲଘନ କରିଥିବା କେନ୍ଦ୍ର କହିଛି । ଆମସାର ଆକ୍ଟ ଅନୁଯାୟୀ ନିଷିଦ୍ଧାଂଚଳରେ କୌଣସି ନୂଆ ନିର୍ମାଣକୁ ଅନୁମତି ନାହିଁ । ୨୦୨୦ରେ ରାଜ୍ୟ ସରକାର ଏପରି ଆଇନ ଆଣିବା ପୂର୍ବରୁ ଏହା ଦେବୋତର ଆଇନ ଦ୍ୱାରା ପରିଚାଳିତ ହେଉଥିଲା ।

ଅଧ୍ୟାଦେଶଟି ପ୍ରାଚୀନ ଐତିହ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆଇନ-୧୯୫୮ର ପରିପନ୍ଥୀ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ସରକାର ଆହୁରି କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପାଖରେ ନିର୍ମାଣ କାର୍ଯ୍ୟ କରି ସରକାର ଏହି ଆଇନର ଉଲ୍ଲଂଘନ କରିସାରିଛନ୍ତି । ଏହି ଆଇନ ଅନୁସାରେ ମନ୍ଦିରର ୧୦୦ ମିଟର ଅଞ୍ଚଳ ସୁରକ୍ଷିତ ଅଞ୍ଚଳ ଓ ଏଠାରେ କୌଣସି ନିର୍ମାଣ କାମ ହେବନି । ସେହିପରି ୨୦୦ ମିଟର ଅଞ୍ଚଳରେ କାମ କରିବାକୁ ହେଲେ ଅନୁମତି ଆଣିବାକୁ ହେବ ।

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବା ଲାଗି ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା । ଯେହେତୁ କେନ୍ଦ୍ରୀୟ ଆଇନ୍ କିଛି ପରିମାଣରେ ନିୟନ୍ତ୍ରିତ କରୁଛି ତେଣୁ ଏହି ଅଧ୍ୟାଦେଶକୁ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ପଠାଯାଇଥିଲା ।

Related Posts