କଡ଼ା ସୁରକ୍ଷା ମଧ୍ୟରେ ଧାମନଗର NACର ୬ଟି ବୁଥ୍ ରେ ଭୋଟ ଗଣତି ଆରମ୍ଭ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ଗତକାଲି ଶେଷ ହୋଇଛି ମତଦାନ | ତେବେ ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଯାଇଛି ଗଣତି ପକ୍ରିୟା । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଗଣତି କେନ୍ଦ୍ର ପାଖରେ ଭଦ୍ରକ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଛନ୍ତି। ଫଳରେ ଗଣତି କେନ୍ଦ୍ର ନିକଟକୁ ୪ ଚକିଆ ଯାନ ଯାତାୟତ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଏହି କଟକଣା ଗତ ରାତି ୯ଟାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇଥିଲା |

ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ଜାଗାରେ ପୁଲିସ ମୁତୟନ କରାଯିବା ସହ ଗତକାଲି ରାତିରୁ ଲାଗୁ ହୋଇଛି ୧୪୪ ଧାରା | ୫ଜଣରୁ ଅଧିକା ଲୋକ ଏକତ୍ରିତ ହେବାକୁ ନିଷେଧ କରାଯିବା ସହ ୪ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି।

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶୋଭାଯାତ୍ରା ଇତ୍ୟାଦି କରାଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ମଧ୍ୟ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

Related Posts