ବେରୋଜଗାରୀ ଏବଂ ଋଣ ଯୋଗୁଁ ୩ ବର୍ଷରେ ଜୀବନ ହାରିଛନ୍ତି ୨୬ ହଜାର: କେନ୍ଦ୍ର ସରକାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବେରୋଜଗାରୀ ଏବଂ ଋଣ ଯୋଗୁଁ ୩ ବର୍ଷରେ ଜୀବନ ହାରିଛନ୍ତି ୨୬ ହଜାର । ଏଥିପାଇଁ କେନ୍ଦ୍ରର ମୋଦୀ ସରକାର ବିରୋଧଙ୍କ କଡା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ରୋଜଗାର ସୃଷ୍ଟି ନ କରିପାରିବା କେନ୍ଦ୍ର ସରକାରଙ୍କ ବଡ ବିଫଳତା ବୋଲି ଅଭିଯୋଗ ହେଉଛି । ରୋଜଗାର ନଥିବାରୁ ଅନେକ ନିଜର ଜୀବନ ମଧ୍ୟ ହାରିଛନ୍ତି । ବୁଧବାର ଫେବ୍ରୁଆରୀ ୯ ତାରିଖରେ ସରକାର ସଂସଦରେ ବେରୋଜଗାରୀ ଯୋଗୁଁ ଆତ୍ମହତ୍ୟା କରିଥିବା ଲୋକଙ୍କ ଏକ ସଂଖ୍ୟା ଗୃହରେ ଉପସ୍ଥାପନ କରିଛନ୍ତି । ଗତ ତିନି ବର୍ଷରେ ରୋଜଗାର ନଥିବା କାରଣରୁ ପ୍ରାୟ ୧୦ ହଜାର ଜଣ ନିଜର ଜୀବନ ହାରିଛନ୍ତି ।

ଏହାଛଡା ସରକାର ସୂଚନା ଦେଇ କହିଛନ୍ତି, ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ଲୋକେ ଦେବାଳିଆ କିମ୍ୱା ଅତ୍ୟଧିକ ଋଣ କାରଣରୁ ଆତ୍ମହତ୍ୟା କରିଛନ୍ତି । ରାଜ୍ୟସଭାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୦ରେ ୫ ହଜାର ୨୧୩ ଜଣ, ୨୦୧୯ରେ ୫ ହଜାର ୯୦୮ ଏବଂ ୨୦୧୮ରେ ୪ ହଜାର ୯୭୦ ଜଣ ଦେବାଳିଆ କିମ୍ୱା ଋଣଜନିତ କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୦ରେ ବେରୋଜଗାରୀ ପାଇଁ ୩ ହଜାର ୫୪୮, ୨୦୧୯ରେ ୨ ହଜାର ୮୫୧ ଏବଂ ୨୦୧୮ରେ ୨ ହଜାର ୭୪୧ ଜଣ ଆତ୍ମହତ୍ୟା କରିଛନ୍ତି ।

Related Posts