କିଶନନଗର ଥାନା ସମ୍ମୁଖରେ ଅଭାବନୀୟ ଘଟଣା: ଦେହରେ ନିଆଁ ଲଗାଇଦେଲେ ଯୁବକ

ସାଲେପୁର : କିଶନନଗର ଥାନା ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି । ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ସେ ଏହିପରି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଗୁରୁତର ହୋଇଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଗୁଣନିଧୀ ବିଶୋୟୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ପ୍ରାୟ ୮ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ଗୁଣନିଧୀ । ଏହି ବିବାଦ ଦିନକୁ ଦିନ ଘନେଇବାରୁ ଆଜି ପୁଣି ସେ ଥାନାକୁ ଆସିଥିଲେ। ମାତ୍ର ପୁଲିସ୍‌ ପାଖରୁ କୌଣସି ସନ୍ତୋଜଜନକ ଉତ୍ତର ନ ପାଇ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଥାନାରୁ ବାହାରି ଆସିବା ପରେ ହଠାତ୍‌ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ନିଆଁ ଲିଭାଇ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ।

ତେବେ ଏନେଇ ସାଲେପୁର ଏସଡିପିଓଙ୍କୁ ପଚାରିବାରୁ ସେ କିଛି ବି ସୂଚନା ଦେବାକୁ ମନା କରିଛନ୍ତି ।

Related Posts