ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ସମାରୋହରେ ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ସେପଟେ ଉଦଘାଟନ ସମାରୋହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭୀୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ ହେବା ସହ ପୁରୀବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ବାରା ଓଡ଼ିଶାରେ ସ୍ବାସ୍ଥ୍ୟସେବା ଆହୁରି ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ । ଏହା ସହିତ କେନ୍ଦ୍ରମନ୍ତ୍ରୀ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ ।

ପୂର୍ବରୁ ଏହି ମେଡିକାଲ କଲେଜର ଶ୍ରେୟ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା । ଏହି ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟମୂଳକଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡକାଯିବା କଥା ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ର ଟ୍ବିଟ କରି ଲେଖିଥିଲେ । ନିଜ ଟୁଇଟ ସହିତ ସେ ଏକ ପତ୍ର ସଂଲଗ୍ନ କରିଥିଲେ । କେନ୍ଦ୍ରୀୟ ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପର ଶିଳାନ୍ୟାସ ବା ଉଦଘାଟନ ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ରାଜ୍ୟ ସରକାର ଅବଗତ କରିବା ଉଚିତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଏହି ପତ୍ର ଲେଖିଥିଲେ । ଏହାର ଜବାବରେ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରେୟ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ । ସେ କେବଳ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଅନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts