ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର । ତେବେ ମୋଦି ସରକାରଂକ ଏହି ଘୋଷଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ, ଅନେକ ଏହାକୁ ସ୍ୱାଗତ କରୁଛନ୍ତି ତ ଅନେକ ବିରୋଧ ମଧ୍ୟ କରିଛନ୍ତି ।

ସେନାରେ ସାମିଲ ହେବାକୁ ଉଚ୍ଛୁକ ଥିବା କିଛି ଯୁବକ ଏହାକୁ ବିରୋଧ କରି ବିହାର, ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ ସହ ଅନେକ ରାଜ୍ୟରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଦଶମ ପାସ୍ ଅଗ୍ନିବୀରଙ୍କୁ ଦ୍ୱାଦଶ ପାସ ସାର୍ଟିଫିକେଟ ପ୍ରଦାନ କରାଯିବ।

କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ । ଅଗ୍ନିବୀର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଏବଂ କୌଶଳ ହାସଲ କରି ସମାଜରେ ସୃଜନଶୀଳ ଭୂମିକା ଗ୍ରହଣ କରିବେ । NIOSର ଦ୍ୱାଦଶ ପାସ ପ୍ରମାଣ-ପତ୍ର ସାରା ଦେଶରେ ଚାକିରି ଏବଂ ଉଚ୍ଚ ଶିକ୍ଷା ଉଭୟ ଉଦ୍ଦେଶ୍ୟ ପାଇଁ ମାନ୍ୟତା ହାସଲ କରିଛି, ଯାହା ଅଗ୍ନିବୀରଙ୍କୁ ଜୀବନରେ ପ୍ରଗତି ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରିବ।

ଏହାସହ ସେ କହିଛନ୍ତି, ଅଗ୍ନିବୀରଙ୍କ ପାଇଁ @DselEduMinistry ଦ୍ୱାରା ରକ୍ଷା ମନ୍ତ୍ରଣାଳୟର ପରାମର୍ଶରେ ସ୍ୱତନ୍ତ୍ର ପ୍ରୋଗାମ ଆରମ୍ଭ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଅଗ୍ନିବାରୀ ନିଜର ଶିକ୍ଷାକୁ ଆଗକୁ ବଢାଇବା ପାଇଁ @niostwit ମାଧ୍ୟମରେ ଦ୍ୱାଦଶ ଶ୍ରେଣୀ ସାର୍ଟିଫିକେଟ୍ ହାସଲ କରିପାରିବେ ।