ୟୁପି ପଲିଟିକ୍ସ; କଂଗ୍ରେସକୁ ବଡ଼ ଝଟକା; ଦଳ ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳର ବରିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଦେବାର କିଛି ସମୟ ପରେ ହିଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡଡା ଜୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ତଥା ମାର୍ଗଦର୍ଶନରେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ମୁଁ ଉତ୍ସାହିତ ବୋଲି ଏକ ପୋଷ୍ଟ ଲେଖି ସେୟାର କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ‘ଆଜି ଯେତେବେଳେ ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି, ମୁଁ ମୋର ରାଜନୈତିକ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛି ବୋଲି ଆରପିଏନ ସିଂହ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ।

ସେପଟେ ଆରପିଏନ୍ ସିଂ ପଡ଼ରୈନା ଆସନରୁ ତିନିଥର ବିଧାୟକ ହୋଇଛନ୍ତି। ସେ ୨୦୦୯ ରେ କୁଶୀନଗରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ୨୦୧୪ ରେ ହାରି ଯାଇଥିଲେ। ଗତ ଦୁଇଟି ବିଧାନସଭା ନିର୍ବାଚନରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପଡ଼ରୈନା ଆସନରୁ ଜିତିଛନ୍ତି । ତେବେ ଭାରତୀୟ ଜନତା ପାର୍ଟି ଆରପିଏନ ସିଂହଙ୍କୁ ପଡ଼ରୈନା ଆସନରୁ ସମାଜବାଦ ପାର୍ଟିର ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବ ବୋଲି ଅନୁମାନ କରାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts