ୟୁପି ପଲିଟିକ୍ସ; ମିରଠର ଅଧିକାଂଶ କେନ୍ଦ୍ରରେ ଇଭିଏମ ଖରାପ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଆଜି ଠାରୁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ଉପରେ ରହିଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲା ମିରଠ, ଗାଜିଆବାଦ, ଗୌତମବୁଦ୍ଧନଗର, ହାପୁଡ଼, ବାଗପତ, ଶାମଲି, ମୁଜଫରନଗର, ଅଲିଗଡ଼, ମଥୁରା ଓ ଆଗ୍ରା ଜିଲ୍ଲାରେ ଭୋଟ ଗ୍ରହଣ କରାଯାଉଛି । ହେଲେ ପ୍ରଥମ ପର୍ଯ୍ୟାୟରେ ମିରଠର ଅଧିକାଂଶ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ଖରାପ ଥିବାର ସୂଚନା ମିଳିଛି । ଏନେଇ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି । ସେପଟେ ପଶ୍ଚିମ ଉତ୍ତରପ୍ରଦେଶରେ ଅଧିକାଂଶ କୃଷକ ଭାରତୀୟ ଜନତା ପାର୍ଟି ସରକାରକୁ ବିରୋଧ କରି ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ଏସବୁ ଆସନ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ତେବେ ଏପରିସ୍ଥିତିରେ ଇଭିଏମ ଖରାପ ହେବା ଭାରତୀୟ ଜନତା ପାର୍ଟିକୁ ଚିନ୍ତାରେ ପକାଇଛି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ୧୧ ଜିଲ୍ଲାର ୫୮ ଆସନ ଲାଗି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨.୨୮ କୋଟି ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିରେ ୧.୨୪କୋଟି ପୁରୁଷ ଥିବାବେଳେ ୧.୦୪ କୋଟି ମହିଳା ରହିଛନ୍ତି । ଏହା ସହ ୧୪୪୮ ଟ୍ରାନ୍ସଜେଣ୍ଡର ବି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

Related Posts