ଇରାନର ୩ ପରମାଣୁ ଘାଟି ଉପରେ ଆମେରିକାର ବୋମାମାଡ଼

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା ଏବେ ଆନୁଷ୍ଠାନିକ ଭାବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛି । ଇରାନ ଉପରେ ବଡ଼ ଆକ୍ରମଣ କରିଛି ଆମେରିକା । ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା । ଫଳରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ସମ୍ପୂର୍ଣ୍ଣ ଧ୍ବଂସ ହେଇଯାଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କରିଛି ଆମେରିକା ।

ଇରାନର ପରମାଣୁ କ୍ଷମତାକୁ ନଷ୍ଟ କରିବା ଲକ୍ଷ୍ୟରେ ଆମେରିକା । ଆକ୍ରମଣ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଏହାକୁ ଏକ ସଫଳ ଆକ୍ରମଣ ବୋଲି କହିଛନ୍ତି । ଏନେଇ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ଲେଖାଯାଇଛି ଯେ ଫୋର୍ଡୋ ଶେଷ ହୋଇଛି ।

ସେ ଆହୁରି ଲେଖିଛନ୍ତି ଯେ, ସମସ୍ତ ଆମେରିକୀୟ ବିମାନ ଇରାନର ଆକାଶ ସୀମା ଛାଡି ଯାଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଫୋର୍ଡୋ ଉପରେ ସମ୍ପୂର୍ଣ୍ଣ ବୋମା ପକାଯାଇଥିଲା । ସମସ୍ତ ବିମାନ ସୁରକ୍ଷିତ ଭାବରେ ଘରକୁ ଫେରୁଛନ୍ତି । ଆମର ମହାନ ଆମେରିକୀୟ ଯୋଦ୍ଧାମାନଙ୍କୁ ଅଭିନନ୍ଦନ, ବିଶ୍ୱର ଅନ୍ୟ କୌଣସି ସେନା ଏହା କରିପାରିବ ନାହିଁ । ଏବେ ଶାନ୍ତିର ସମୟ ଆସିଛି ।

ଯୁଦ୍ଧ ଆରମ୍ଭରୁ ଆମେରିକା ଇରାନ ଉପରେ ଆକ୍ରମଣର ଚେତାବନୀ ଦେଉଥିଲା । ଏହା ସହିତ, ସେ ଖୋଲାଖୋଲି ଭାବରେ ଇସ୍ରାଏଲକୁ ସମର୍ଥନ କରୁଥିଲା । ନିକଟରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ । ଆମେ ଶୀଘ୍ର ନିଷ୍ପତ୍ତି ନେବୁ ଆଗକୁ କ’ଣ କରିହେବ । ଏହି ଆକ୍ରମଣର ମାତ୍ର କିଛି ଘଣ୍ଟା ପୂର୍ବରୁ, ଆମେରିକା ଗୁଆମକୁ ତାର B-2 ବୋମାବର୍ଷୀ ବିମାନ ପଠାଇଥିଲା । ଏହି ନିଷ୍ପତ୍ତି ପରେ, ଏହା ବିଶ୍ୱାସ କରାଯାଉଥିଲା ଯେ ଇରାନ-ଇସ୍ରାଏଲ ଯୁଦ୍ଧ ଯେକୌଣସି ସମୟରେ ଭୟଙ୍କର ମୋଡ଼ ନେଇପାରେ ।

Related Posts