
ନ୍ୟୁୟର୍କ: ଆମେରିକା ଦେଇଥିବା ଏଫ୍-16 ବିମାନର ଅପବ୍ୟବହାର କରିଛି ପାକିସ୍ତାନ । ଆମେରିକା ଏହି ବିମାନ ନେଇ ଯେଉଁ ଚୁକ୍ତି କରିଥିଲା ତାର ଉଲ୍ଲଂଘନ କରିଛି ପାକିସ୍ତାନ । ଯାହାକୁ ନେଇ ଏବେ ପାକିସ୍ତାନକୁ ଘେରିଛି ଆମେରିକା । ଆମେରିକା ଏହାର ତଦନ୍ତ କରିବ ବୋଲି ଜଣାପଡିଛି । ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରାଳୟ । ଅର୍ଥାତ୍ ନିଜ ଜାଲରେ ଫଶିଯାଇଛି ପାକିସ୍ତାନ ।
ପ୍ରଥମେ ଦୋଷ ଲୁଚାଇବାକୁ ମିଛ, ପରେ ବାହାନା, ଆଉ ଶେଷରେ ଗୋଳେଇବା ଆରମ୍ଭ କରିଛି ପାକିସ୍ତାନ । ଭାରତର ଏୟାର ଷ୍ଟ୍ରାଇକ ପରେ ଧରାପଡିଛି ‘ଟେରୋରିସ୍ତାନ’ର ଗୋଟିଏ ପରେ ଗୋଟିଏ ମିଛ । ଭାରତର ସାମରିକ ବାହିନୀକୁ ଆକ୍ରମଣ ପାଇଁ f-16 ଯୁଦ୍ଧ ବିମାନକୁ ବ୍ୟବହାର କରିଥିଲା ପାକିସ୍ତାନ । କିନ୍ତୁ ଏହା ଭାରତର ଆକ୍ରମଣରେ ଖସି ପଡିଥିଲା । ଯାହାର ଭଗ୍ନାଂଶ ପଡିଥିବା ପ୍ରମାଣ ମିଳିଥିଲା । ଲୁଚାଇବାକୁ ପାକିସ୍ତାନ ସେନା ଏହାର ଭଗ୍ନାବଶେଷକୁ ଟ୍ରକ୍ରେ ନେଇଯାଇଥିବା ଦେଖିବାକୁ ମିଳିଛି । ଆମେରିକା ଏଫ୍-16 ବିମାନ ବ୍ୟବହାର ନେଇ ପ୍ରଶ୍ନ ଉଠାଇଥିଲା । ହେଲେ ଏହା ପରେ ଏହି ବିମାନ ପାକିସ୍ତାନର ନୁହେଁ ତାଇଓ୍ବାନର ବୋଲି କହିଥିଲା । କିନ୍ତୁ ତାଇଓ୍ବାନ ବାୟୁ ସେନା ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଥିଲା । ଏବେ ଦୋଷ ଲୁଚାଇବାକୁ ଇମ୍ରାନ୍ ଆଣ୍ଡ୍ କୋ ବାଉଳି ହେଉଥିବା ଜଣାପଡିଛି ।
ଏଫ-16 ବିମାନ ନେଇ କଣ ରହିଛି ଆମେରିକାର ସର୍ତ୍ତ ?
ନିଜ ଦେଶର ସୁରକ୍ଷା ଏବଂ ଆତଙ୍କବାଦୀ ବିରୋଧରେ ବ୍ୟବହାର ପାଇଁ ଆମେରିକା ଏହି ବିମାନ ପାକିସ୍ତାନକୁ ଦେଇଥିଲା ଆମେରିକା । ଏମିତିକି କୌଣସି ଦେଶ କିମ୍ବା ସେନା ବିରୋଧରେ ବ୍ୟବହାର ନ କରିବାକୁ ସର୍ତ୍ତ ରହିଛି । ଯାହାକି ଆମେରିକା ଏଣ୍ଡ୍-ୟୁଜର ଚୁକ୍ତିନାମାରେ ଉଲ୍ଲେଖ ରହିଛି । ମୋଟ 12ଟି ସର୍ତ୍ତ ରଖିଛି ଆମେରିକା ।