ଭାରତଠାରୁ ବଦ୍‌ଲା ନେବ ଜୈସ୍‌-ଏ-ମହମ୍ମଦ, ସହଯୋଗ କରିବ ପାକିସ୍ତାନ !

ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍‌ର ବଦଲା ନେବ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ । ଏଭଳି ସୂଚନା ପାଇଛି ଗୁଇନ୍ଦା ବିଭାଗ । ମୁଖ୍ୟତଃ ଦେଶର ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀ ବିସ୍ଫୋରଣ କରାଯିବାକୁ ଷଡ଼ଯନ୍ତ୍ର ହେଉଥିବା ଗୁଇନ୍ଦା ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀରେ 10 ଜଣ ଆତଙ୍କବାଦୀ ଲୁଚିଥିବା ଜଣାପଡିଛି । ପୁଲଓ୍ବାମା ଆକ୍ରମଣ ଶୈଳୀରେ ଆତ୍ମଘାତୀ ବୋମା ସହ ଏମାନେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଗୁଇନ୍ଦା ବିଭାଗ ତଦନ୍ତ କରୁଥିବା ବେଳେ ହାଇଆଲର୍ଟ ଜାରି କରାଯାଇଛି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ଜୈସ୍‌-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଏହାପରେ ଫେବୃଆରୀ 26ରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନର ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ 300ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଥିଲା । ଏହାପରେ ଉଭୟ ଆତଙ୍କବାଦୀ ଓ ପାକିସ୍ତାନ ସରକାରକୁ ଝଟକା ଲାଗିଛି । ଏହାରି ଭିତରେ ପାକିସ୍ତାନ ସେନା ଭାରତୀୟ ସେନାକୁ ଆକ୍ରମଣ କରିଛି, ହେଲେ ବିଫଳ ହୋଇଛି । ନିଜ ଦେଶ ଓ ବିଦେଶରେ ପାକିସ୍ତାନ ନିନ୍ଦିତ ହେବା ପରେ ଆତଙ୍କବାଦୀଙ୍କୁ ପଛପଟୁ ସମର୍ଥନ କରି ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଆାତଙ୍କବାଦୀଙ୍କ ବିରୋଧରେ ଭାରତର ଏହି ଆକ୍ରମଣକୁ ଜାତିସଂଘ ସମେତ ବିଭିନ୍ନ ଦେଶ ସମର୍ଥନ କରିଛନ୍ତି । ଭାରତ ଯେଉଁ ଏୟାର ଷ୍ଟ୍ରାଇକ କରିଥିଲା ସେଥିରେ ଆତଙ୍କବାଦୀଙ୍କୁ ନିପାତ କରିବା ଥିଲା ଉଦ୍ଦେଶ୍ୟ । ଏଥିରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ କିମ୍ବା ଧନହାନି ହୋଇ ନାହିଁ । ପୂର୍ବରୁ ସଂସଦ, ଜମ୍ମୁ-କାଶ୍ମୀର ବିଧାନସଭା ଆକ୍ରମଣ କରିଥିଲା ଏହି ସଂଗଠନ ।

Related Posts