ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପ୍ରଶାସନ ଉପରେ ଖପା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି। ସମ୍ବିଧାନରେ ପ୍ରଚଳିତ ନିୟମକୁ ସରକାର ପରିହାସ କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି ୧୨ ଜଣ ବିଶିଷ୍ଟ ବ୍ୟକ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟର ୩ ଜଣ ପୂର୍ବତନ ବିଚାରପତି।
ଏଥିସହ ବିଜେପିର ପୂର୍ବତନ ନେତା ନୂପୁର ଶର୍ମାଙ୍କ ଅଭଦ୍ର ଟିପ୍ପଣୀ ବିରୋଧରେ ଆନ୍ଦୋଳନ କରୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କ ବିରୋଧରେ ହିଂସା ଓ ଦମନ ନୀତିକୁ ବନ୍ଦ କରିବାକୁ ପାଇଁ ସମସ୍ତେ ଚିଠିରେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ବିଶେଷ କରି ଆନ୍ଦୋଳନରେ ସାମିଲ ଥିବା ଲୋକଙ୍କ ଘର ଉପରେ ବୁଲଡୋଜର ଚାଲିବା ଆଇନର ପରିଧିରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ସେମାନେ କହିଛନ୍ତି।
ଜୁନ୍ ୧୪ରେ ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ସର୍ବୋଚ୍ଚ ଅଦାଲତରୁ ଅବସର ନେଇଥିବା ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ, ଜଷ୍ଟିସ ଭି ଗୋପାଲା ଗୌଡ଼ ଓ ଜଷ୍ଟିସ ଏକେ ଗାଙ୍ଗୁଲିଙ୍କ ଦସ୍ତଖତ ରହିଛି। ଏହାବାଦ ହାଇକୋର୍ଟର ୩ ଜଣ ପୂର୍ବତନ ଜଜ ଓ ୬ ଜଣ ଓକିଲଙ୍କ ନାଁ ମଧ୍ୟ ଚିଠିରେ ରହିଛି। ପ୍ରଶାସନ ହିଂସା ଅଭିଯୁକ୍ତଙ୍କ ଘରେ ବିନା କୌଣସି ଶୁଣାଣିରେ ବୁଲଡୋଜର ଚଳାଇବାର ଅର୍ଥ ଆଇନକୁ ପରିହାସ କରିବା ସହ ସମାନ ବୋଲି ସେମାନେ ଚିଠିରେ କହିଛନ୍ତି।
ଜୁନ୍ ୧୦ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ନୂପୁର ଶର୍ମା ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାକାଣ୍ଡ ପଛରେ କୁଆଡ଼େ ଜାଭେଦ ଅହମଦ ଥିବା ପୁଲିସ କହିଥିଲା। ଏଥିପାଇଁ ପ୍ରୟାଗରାଜ ଡେପଲପମେଣ୍ଟ ଅଥୋରିଟି ରବିବାର ଜାଭେଦଙ୍କ ଘର ଉପରେ ବୁଲଡୋଜର ଚଳାଇ ଦେଇଥିଲା। ସାହାରନପୁରେ ମଧ୍ୟ ୨ ଜଣ ଘରକୁ ଜବରଦଖଲ ନାଁରେ ମାଟିରେ ମିଶା ଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
