ଉତ୍ତରପ୍ରଦେଶ ରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ | ଆଜି ସକାଳୁ ସକାଳୁ ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି(ଗୁରୁବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋରଖପୁରରେ ପହଞ୍ଚି ସକାଳ ଠିକ୍ ୭ଟା ସମୟରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି | ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।
କାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୮.୬୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ୫୭ଟି ଆସନ ପାଇଁ ୬୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨.୧୪ କୋଟି ଭୋଟର । ଗୋରଖପୁର ଅର୍ବାନ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ଆଜି ଭାଗ୍ୟ ପରୀକ୍ଷା ହେବ ।
ସେହିପରି ତାମକୁହି ଆସନରୁ ଲଢୁଥିବା ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ, ଫାଜିଲନଗରରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।ଆମ୍ବେଦକର ନଗର, ବଲରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସାନ୍ତ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଷିନଗର, ଦେଓରିଆ ଏବଂ ବାଲ୍ଲିଆରେ ମତଦାନ ଆରମ୍ଭ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟ ଭୋଟ ପୂର୍ବରୁ ଗତକାଲି ପ୍ରତିଦ୍ବନ୍ଦି କରିଥିବା ଦଳ ଗୁଡିକରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା ।





