ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରୀ ଡାକ୍ତରଙ୍କ ବଦଳିକୁ ନେଇ ଦେଖା ଦେଇଥିବା ବିବାଦକୁ ଗୁରୁତ୍ୱ ର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆସନ୍ତା ଦୁଇ ଦିନ ଭିତରେ ଏହା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ବଦଳିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ଏକ କମିଟି ଗଠନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହି କମିଟି ଆସନ୍ତା ଦୁଇ ଦିନ ଭିତରେ ପୂରା ମାମଲା ଉପରେ ରିପୋର୍ଟ ପ୍ରଦାନ କରିବ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତରଙ୍କ ବଦଳିକୁ ନେଇ ଚିଠି ଲେଖି ପ୍ରଶ୍ନ ଉଠାଇଥିଲେ ଏବଂ ଏହା ତାଙ୍କ ଅଜାଣତରେ କରାଯାଇଥିବା ସେ କହିଥିଲେ । ବଦଳି ନୀତିକୁ ଅଣଦେଖା କରାଯାଇ ଡାକ୍ତରଙ୍କୁ ନୂଆ ପୋଷ୍ଟିଂ ଦେଇଥିବାରୁ ସେ ଅସନ୍ତୋଷ ଥିଲେ ।

ଉତ୍ତର ପ୍ରଦେଶରେ ଜୁନ ୩୦ରେ ୪୫୦ରୁ ଅଧିକ ଡାକ୍ତରଙ୍କୁ ବଦଳି କରାଯାଇଥିଲା । ଏଥିରେ ଲକ୍ଷ୍ନୌର ବଡ ବଡ ହସ୍ପିଟାଲର ଅନେକ ବିଶେଷଜ୍ଞ ଡାକ୍ତରଙ୍କ ନାଁ ମଧ୍ୟ ସାମିଲ ଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଏହି କଥା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ରାଜଧାନୀ ସହ ଅନ୍ୟ ଜିଲ୍ଲାର ବଡ ବଡ ହସ୍ପିଟାଲରୁ ବିଶେଷଜ୍ଞ ଡାକ୍ତରଙ୍କ ହଠାତ ବଦଳିରେ ରୋଗୀଙ୍କୁ ବହୁ ଅସୁବିଧା ହେବ । ଏହାସହ ବଦଳି ହୋଇଥିବା ଡାକ୍ତରଙ୍କ ସ୍ଥାନରେ ନିଯୁକ୍ତି ନେଇ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଥିଲେ, ସବୁ କାମ ନିୟମ ଅନୁସାରେ ଯେପରି ହୁଏ ତାହା ସୁନିଶ୍ଚିତ କରିବା ଶାସନର ଦାୟିତ୍ୱ । ମାମଲାର ତଦନ୍ତ କରାଯିବ ଏବଂ ଯଦି ଡାକ୍ତରଙ୍କ ବଦଳିରେ କୌଣସି ନିୟମର ଉଲ୍ଲଂଘନ ହୋଇଛି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।