ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ; ୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଏମଏଲସି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କେଶବ ପ୍ରସାଦ ମୌର‌୍ୟ୍ୟ ଓ ଚୌଧୁରୀ ଭୁପେନ୍ଦ୍ର ସିଂଙ୍କ ସମେତ ୭ ଜଣ ମନ୍ତ୍ରୀଙ୍କ ନାମ ଥିବା ବେଳେ ଏବେ ପୁଣିଥରେ ନିରାଶ ହୋଇଛନ୍ତି ମୁଲାୟମ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ । ସେପଟେ ଗତ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଅପର୍ଣ୍ଣା । ସେତେବେଳେ ତାଙ୍କୁ ବିଧାୟକ ଟିକେଟ ମିଳିବ ବୋଲି ଆଶା କରାଯାଉଥିଲା ।ହେଲେ ତାହା ହୋଇନଥିଲା । କିଛି ରାଜନୈତିକ ବିଶେଷଜ୍ଞ ମତ ଦେଇଥିଲେ କି ଅପର୍ଣ୍ଣାଙ୍କୁ ବିଜେପି ବିଧାନ ପରିଷଦ ପଠାଇବ ।

ହେଲେ ଏବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଅପର୍ଣ୍ଣାଙ୍କୁ ନିରାଶ ହେବାକୁ ପଡିଛି । ଏନେଇ ଅପର୍ଣ୍ଣାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିରୋଧୀ ଏହାକୁ ବିଜେପିର ପ୍ରତିଶୋଧ ରାଜନୀତି ବୋଲି କହିଛନ୍ତି । ଅନ୍ୟପଟେ କେବଳ ଉତ୍ତର ପ୍ରଦେଶ ନୁହେଁ ବରଂ ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ବିଜେପି ତରଫରୁ ୫ ଜଣ ଓ ବିହାର ବିଧାନ ପରିଷଦ ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।ଉତ୍ତର ପ୍ରଦେଶ ବିଧାନ ପରିଷଦର ୧୩ ଟି ଆସନ ପାଇଁ ଜୁନ ୨୦ ତାରିଖରେ ମତଦାନ ହେବାକୁ ଯାଉଛି । ଏହାସହ ସେହିଦିନ ବି ଭୋଟର ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts