ପ୍ରୟାଗରାଜ : ହିଂସାକାଣ୍ଡର ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛି ୟୁପି ପୁଲିସ । କେତେବେଳେ ଆନ୍ଦୋଳନକାରୀଙ୍କ ଘର ଉପରେ ବୁଲ ଡୋଜର ଚଳାଉଛି ତ ଆଉ କେତେବେଳେ ଗିରଫ ଓ ଚିହ୍ନଟ କରିବା ପାଇଁ ଆନ୍ଦୋଳନ କାରୀଙ୍କ ପୋଷ୍ଟର ଜାରି କରୁଛି | ତେବେ ଏହାରି ମଧ୍ୟରେ ଯଦି ଆନ୍ଦୋଳନକାରୀ ପୁଲିସ ଆଗରେ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ଘର ନିଲାମ କରିଦିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି ।
ପ୍ରୟାଗରାଜ ଏସଏସପି ଅଜୟ କୁମାର କହିଛନ୍ତି ଦଙ୍ଗା କରିଥିବା ଅଭିଯୁକ୍ତମାନେ ଯଦି ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବ ଓ ସେମାନଙ୍କ ଘରକୁ ଜବତ କରି ନିଲାମ କରିଦିଆଯିବ ।
ଜୁନ ୧୦ରେ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୯୨ ଜଣ ଗିରଫ ହୋଇଛନ୍ତି । ଆଉ ୪୦ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି । ହିଂସାର ସିସିଟିଭି ଭିଡିଓ ମାଧ୍ୟମରେ ଦଙ୍ଗାକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଯାଇଛି । ଅଜୟ କୁମାର କହିଛନ୍ତି ଯେ ସେମାନେ ପୁଲିସକୁ ଜଣାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିପାରିଥାନ୍ତେ । କିନ୍ତୁ ସେମାନେ ହିଂସା କରିଥିଲେ । ସେମାନେ ନଷ୍ଟ କରିଥିବା କୋଟି କୋଟି ଟଙ୍କାର ସଂପତ୍ତି ସେମାନଙ୍କଠାରୁ ଆଦାୟ କରାଯିବ ।
ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ଏହି ବୟାନକୁ ନେଇ ଗତ ଶୁକ୍ରବାରଦିନ ଭାରତୀୟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ ।
