ଉତ୍ତରାଖଣ୍ଡ ରିସେପ୍‌ସନିଷ୍ଟ୍‌ ହତ୍ୟାକାଣ୍ଡ ଘଟଣା: ବିଜେପି’ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ଗିରଫ, ରିସର୍ଟ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ

ଋଷିକେଶ: ଉତ୍ତରାଖଣ୍ଡ ରିସେପ୍‌ସନିଷ୍ଟ୍‌ ହତ୍ୟାକାଣ୍ଡ ଘଟଣାକୁ ନେଇ ଆକ୍ସନ ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ଆଦେଶକ୍ରମେ ‘ବିଜେପି’ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ‘ବନତାରା ରିସର୍ଟ’ ଭଙ୍ଗା ଆରମ୍ଭ ହୋଇଛି।

ରିସର୍ଟରେ ରିସେପ୍‌ସନିଷ୍ଟ୍‌ ଥିବା ଜଣେ ୧୯ ବର୍ଷୀୟ ତରୁଣୀଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲକିତଙ୍କୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡ ଯୋଗୁଁ ପ୍ରତିବାଦ ତୀବ୍ରତର ହେବା ପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରିସର୍ଟ ଭାଙ୍ଗିବା ପାଇଁ ଆଦେଶ ଦେଇଛନ୍ତି।

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ରମୁଖ ସଚିବ ଅଭିନବ କୁମାର କହିଛନ୍ତି, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଆଦେଶ ଅନୁସାରେ ଉକ୍ତ ରିସର୍ଟ ଭଙ୍ଗା ଚାଲିଛି।

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ଯମକେଶ୍ବର ବ୍ଲକ୍‌ରେ ଥିବା ଉକ୍ତ ରିସର୍ଟର ମାଲିକ, ରିସର୍ଟ ମ୍ୟାନେଜର୍‌ ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହାଛଡ଼ା, ରାଜ୍ୟରେ ଥିବା ସମସ୍ତ ରିସର୍ଟଗୁଡ଼ିରେ ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଆଦେଶ ଦେଇଛନ୍ତି। ବେଆଇନ ଭାବେ ଚାଲିଥିବା ରିସର୍ଟଗୁଡ଼ିକ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଃଖର ବିଷୟ। ପୁଲିସ ତଦନ୍ତ ଚଳାଇଛି। ସେମାନଙ୍କୁ ଗିରଫ କରିବା ଲାଗି ଯାହା କରିବାର ଥିଲା କରାଯାଇଛି। ଅପରାଧୀ ଯିଏ‌ ହୋଇଥାଉ ନା କାହିଁକି, ଏଭଳି ଘୃଣ୍ୟ ଅପକର୍ମ ପାଇଁ ସବୁଠୁ କଠୋର ଦଣ୍ଡବିଧାନ କରାଯିବ।

ସୂଚନାଯୋଗ୍ୟ, ପୁଲକିତ ହେଉଛନ୍ତି ହରିଦ୍ବାରର ‘ବିଜେପି’ ନେତା ବିଦୋଦ ଆର୍ଯ୍ୟଙ୍କ ପୁତ୍ର। ୬ ଦିନ ହେବ ନିଖୋଜ ହୋଇଯାଇଥିବା ତରୁଣୀ ରିସେପ୍ସନିଷ୍ଟ୍‌ଙ୍କ ହତ୍ୟାକାଣ୍ଡରେ ପୁଲକିତ ସମ୍ପୃକ୍ତ ଥିଲେ। ତରୁଣୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ତାଙ୍କ ଝିଅକୁ ଯୌନନିର୍ଯାତନା ଦେଇଥିଲେ। ସେ ଘଟଣାର ‘ଅଡିଓ’ ରେକର୍ଡ କରାଯାଇଛି।

Related Posts