ସତ୍ୟତା ଯାଞ୍ଚ କରି ସୋସିଆଲ ମିଡିଆରେ ମେସେଜ୍ ଫରୱାଡ୍ କରନ୍ତୁ; ଫେକ୍ ନ୍ୟୁଜ୍ ନେଇ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣାର ସୂରଜକୁଣ୍ଡରେ ଆୟୋଜିତ ରାଜ୍ୟର ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିରକୁ ଆଜି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା ଫେକ୍ ନ୍ୟୁଜ୍‌(ମିଥ୍ୟା ଖବର)କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ଏନେଇ ମୋଦି କହିଛନ୍ତି ଯେ, କୌଣସି ଏକ ଛୋଟ ଭୁଲ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏହା ବିରୁଦ୍ଧରେ ଲଢିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏଥି ପାଇଁ ଏହା ଜରୁରୀ ଯେ, ସୋସିଆଲ ମିଡିଆରେ କୌଣସି ମେସେଜ୍ ଫରୱାଡ୍ କରିବା ପୁର୍ବରୁ ଏହାର ଫ୍ୟକ୍ଟ ଚେକ୍‌(ସତ୍ୟତା ଅନୁସନ୍ଧାନ) କରିବା ଉଚିତ୍। ଏହା ସହିତ ସେ ଲୋକମାନଙ୍କୁ ଫେକ୍ ନ୍ୟୁଜ୍ ସେୟାର ନକରିବା ଲାଗି ଅପିଲ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବୀରରେ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ, ସୋସିଆଲ ମିଡିଆର ଶକ୍ତିକୁ ଆମକୁ ଅବମାନନା କରିବାର ଆବଶ୍ୟକତା ନାହିଁ। ଏକ ଛୋଟ ଫେକ୍ ନ୍ୟୁଜ୍ ସମଗ୍ର ଦେଶରେ ଏକ ବଡ଼ ଧରଣର ସୃଷ୍ଟି କରିପାରେ। ତେଣୁ ଏହାକୁ ଅନ୍ୟ କାହାକୁ ପଠାଇବା ପୂର୍ବରୁ ୧୦ ଥର ଚିନ୍ତା କରନ୍ତୁ, ଯଦି ଏଭଳି କିଛି ଖବର ଆସେ ତେବେ ଏହାକୁ ଗ୍ରହଣ କରିବା ପୂର୍ବରୁ ଯାଞ୍ଚ ମଧ୍ୟ କରନ୍ତୁ। ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଯାଞ୍ଚର ବ୍ୟବସ୍ଥା ରହିଛି। ଏକ ଖବରର ସତ୍ୟତା ଯାଞ୍ଚ କରିବାକୁ ଆପଣଙ୍କୁ ସୋସିଆଲ ମିଡିଆର ସାମାନ୍ୟ କଷ୍ଟ କରିବାକୁ ପଡିବ। ସେହିପରି ପ୍ରଧାନମନ୍ତ୍ରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ନେଇ ସମସ୍ତଙ୍କ ଦାୟିତ୍ବ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ଆଜି ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଚିନ୍ତନ ଶିବୀର’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖିବା, ପ୍ରେରଣା ନେବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଛନ୍ତି।

ତେବେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଶିବିର ଆଜି ଉଦଯାପିତ ହୋଇଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏହି ଚିନ୍ତନ ଶିବିର ଆୟୋଜିତ ହୋଇଥିଲା ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୧୬ଟି ରାଜ୍ୟର ଗୃହମନ୍ତ୍ରୀ ଏକତ୍ରିତ ହୋଇଥିଲେ।

Related Posts