ପଶୁ ଡାକ୍ତରଙ୍କୁ ମେନକା ଗାନ୍ଧୀଙ୍କ ଅଭଦ୍ର ଭାଷାରେ ଗାଳି ଅଡିଓ କ୍ଲିପ୍ ଭାଇରାଲ , ସଙ୍ଘ ଦାବି କଲା କ୍ଷମା ପ୍ରାର୍ଥନା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ଥିବା ମେନକା ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସାଜିଛି ଏକ ଭାଇରାଲ ଅଡିଓ କଲ୍ ରେକର୍ଡିଂ । ପ୍ରାଣୀ ଚିକିତ୍ସା କରୁଥିବା ଜଣେ ଭେଟେରନାରୀ ଡାକ୍ତରଙ୍କୁ ଫୋନରେ ଗାଳି ଦେଉଥିବାର ଅଡିଓ କଲ୍ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଅଡିଓ କଲ୍ ରେକର୍ଡିଂକୁ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାଣୀ ଚିକିତ୍ସକମାନେ ମେନକା ଗାନ୍ଧୀଙ୍କ ଉପରେ ଅସନ୍ତୋଷ ଥିବା ବେଳେ ପ୍ରାଣୀ ଚିକିତ୍ସା ଡାକ୍ତର ସଂଘ (IVA) ଆନ୍ଦୋଳନ ଡାକରା ଦେଇଛି। ବୁଧବାର ଦିନ ଦେଶର ପ୍ରାଣୀ ଚିକିତ୍ସକମାନେ ଏହାର ବିରୋଧରେ କଳା ଦିବସ ପାଳନ କରିଛନ୍ତି। ମେନକା ଗାନ୍ଧୀଙ୍କ ଏହି “ଅସାମ୍ବିଧାନିକ ଆଚରଣ” ପାଇଁ ପ୍ରାଣୀ ଚିକିତ୍ସା ଡାକ୍ତର ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଵିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବାକୁ IVA ଦାବି କରିଛି। ତେବେ ମେନକା ଗାନ୍ଧୀଙ୍କ ଏହି ଅଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଡିଓରେ ସେ ଗୋରଖପୁରର ପ୍ରାଣୀ ଚିକିତ୍ସକ ଡକ୍ଟର ବିକାଶ ଶର୍ମାଙ୍କ ଉପରେ ରାଗିଯାଇ ଗାଳି ସହ ଧମକ ଦେଉଥିବାର ଶୁଣିବାକୁ ମିଳୁଛି । ଏହି ଅଡିଓଟି ୧୭ ଜୁନ୍ ର ବୋଲି ଜଣା ପଡ଼ିଛି। ଅଡିଓରେ ଶୁଣିବାକୁ ମିଳୁଛି ଯେ , ମେନକା ଏକ କୁକୁରର ଚିକିତ୍ସା କରୁଥିବା ଜଣେ ଭେଟନାରୀ ଡାକ୍ତରଙ୍କୁ ଧମକ ଦେଉଛନ୍ତି । ଯଦି କୁକୁରଟି ମରିଯାଏ ମେନକା ଡାକ୍ତରଙ୍କ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ କରିବାକୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି । ଏହା ସହ ତୁମ ଘରେ କେହି ଶିକ୍ଷିତ ଅଛନ୍ତି କି ନାହିଁ ବୋଲି ମେନକା ଡାକ୍ତରଙ୍କୁ ପଚାରିଛନ୍ତି। ଭାଇରାଲ ଅଡିଓ କଲ୍ ରେ ସେ କହିଛନ୍ତି, “ ମୁଁ ତୁମର ଲାଇସେନ୍ସ ଛଡ଼ାଇ ନେବି, ଅପରେସନ୍ କରିବା ପାଇଁ ତୁମ ପାଖରେ ଡିଗ୍ରୀ ଅଛି ? ଏବଂ ପରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ତାଙ୍କୁ ତାଙ୍କ ଟାଇଟେଲ୍ ପଚାରିଥିଲେ ଏବଂ ତା’ପରେ କହିଥିଲେ ଯେ ସେ ତାଙ୍କ ପରିବାର ନାମରେ ଏକ “କଳଙ୍କ” । ତୁମ ବାପା କଣ କରନ୍ତି, ସେ ଜଣେ ମାଳି ନା ଚଉକିଦାର ? ତୁମେ ଶିକ୍ଷିତ କି ନୁହେଁ ? ” ଏହାର ଉତ୍ତରରେ ଡକ୍ଟର ଜଣକ କହିଛନ୍ତି ତାଙ୍କ ପିତା ଜଣେ ଶିକ୍ଷକ ଡକ୍ଟର ମହେନ୍ଦ୍ର ନାମକ ଜଣେ ପ୍ରାଣୀ ଚିକିତ୍ସକଙ୍କ ସହ ତାଙ୍କ ଫୋନ୍ ବାର୍ତ୍ତାଳାପର ଅନ୍ୟ ଏକ ଭାଇରାଲ ଅଡିଓ କ୍ଲିପ୍ ରେ ମେନକା ଗାନ୍ଧୀ କୁକୁରର ମୃତ୍ୟୁ ହେଲେ ଲାଇସେନ୍ସ ବାତିଲ କରିବାକୁ ଧମକ ଦେଉଛନ୍ତି। ପ୍ରାଣୀ ଚିକିତ୍ସକ କହିଛନ୍ତି ଯେ କୁକୁରର ମାଲିକଙ୍କ ଅନୁମତିରେ ସେ କୁକୁରକୁ “ଇଉଥାନାଇଜ୍” କରିଥିଲେ। ଆଉ ଏକ ଭାଇରାଲ ଅଡିଓ କ୍ଲିପ୍‌ରେ ସାଂସଦ ତାଙ୍କ ଲାଇସେନ୍ସ ବାତିଲ କରିବାକୁ, ତାଙ୍କ କ୍ଲିନିକ ବନ୍ଦ କରିଦେବାକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି। କୁକୁର ମାଲିକଙ୍କୁ 70,000 ଟଙ୍କା କ୍ଷତିପୂରଣ ଦେବାକୁ କହିଥଲେ। ମଙ୍ଗଳବାର ଦିନ ପ୍ରାଣୀ ଚିକିତ୍ସା ଡାକ୍ତର ସଂଘ ମେନକା ଗାନ୍ଧୀଙ୍କ ଏହି କାର୍ଯ୍ୟ ପାଇଁ କଡା ନିନ୍ଦା କରିଛି। କୁକୁରର ମାଲିକଙ୍କ ଅନୁମତି କ୍ରମେ ତାର ଗୋଡ କାଟିଦେବାକୁ ପରାମର୍ଶ ଦେଇଥିଲେ। କୁକୁରଟି ଅପରେସନ୍ କରି 2-3 ଦିନ କ୍ଲିନିକରେ ରଖାଯାଇଥିଲା ଏବଂ ପରେ ମାଲିକ କୁକୁରକୁ ନେଇ ଯାଇଥିଲେ। ଏ ସମ୍ପର୍କରେ ଆଇଭିଏର ସାଧାରଣ ସମ୍ପାଦକ ଡକ୍ଟର ଡି ଥାନାଇଗେଭେଲୁ ସୂଚନା ଦେଇଛନ୍ତି। ବିଜେପି ସାସଂଦ ମେନକା ଗାନ୍ଧୀ ଫୋନ୍ କଲରେ ଗାଳିଗୁଲଜ କରିଥିଲେ ଏବଂ ଖରାପ ଭାଷା ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତେବେ ଏହା ପ୍ରଥମ ଘଟଣା ନୁହେଁ। ସେ ବର୍ଷ ବର୍ଷ ଧରି ଏଭଳି କଲ କରି ଧମକ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଆମେ ଅନୁଭବ କରିଛୁ ଯେ ଯଥେଷ୍ଟ ହୋଇଗଲା। ସେ ନିଶ୍ଚିତ ଭାବରେ କ୍ଷମା ମାଗିବେ କାରଣ ସେ ପ୍ରାଣୀ ଚିକିତ୍ସକମାନଙ୍କୁ ଅଶିକ୍ଷିତ ବୋଲି କହିଛନ୍ତି ଏବଂ ଏହି ବୃତ୍ତିର ଅପମାନ କରିଛନ୍ତି । ଯଦି ସେ ଅନୁଭବ କରୁଛନ୍ତି ଯେ ପ୍ରାଣୀ ଚିକିତ୍ସା ଶିକ୍ଷାର ମାନର ଉନ୍ନତି ହେବା ଆବଶ୍ୟକ, ତେବେ ସେ ସଂସଦରେ ଏପରି ମତ ଉପସ୍ଥାପନ କରନ୍ତୁ ବୋଲି ଡକ୍ଟର ଡି ଥାନାଇଗେଭେଲୁ କହିଛନ୍ତି। “

Related Posts