ଘୋଡ଼ା ଦେହରେ ଅଙ୍କା ଗଲା ବିଜେପି ପତାକା, ଅଭିଯୋଗ ଦାଖଲ କଲା ମାନେକା ଗାନ୍ଧିଙ୍କ ଏନଜିଓ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; ବିବାଦ ଘେରରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା। ପ୍ରଚାର ଗୋଟିଏ ଘୋଡ଼ା ଦେହରେ ଦଳୀୟ ପତାକାକୁ ରଙ୍ଗ ଦ୍ୱାରା ଚିତ୍ରିତ କରିଛନ୍ତି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା । ଉକ୍ତ ଘୋଡ଼ାଟିକୁ ମଧ୍ୟ ପଦଯାତ୍ରାରେ ସାମିଲ କରାଯାଇଛି। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପଟେ ଭାରତୀୟ ଜନତା ପାର୍ଟିର ସାଂସଦ ମାନେକା ଗାନ୍ଧି ମଧ୍ୟ ଏହାର ଜୋରଦାର ବିରୋଧ କରିଛନ୍ତି। ତାଙ୍କ ଏନଜିଓ ପଶୁ ସୁରକ୍ଷା ଉପରେ କାମ କରୁଥିବାରୁ ଘୋଡ଼ ଦେହରେ ଏଭଳି ଦଳୀୟ ପତାକା ଅଙ୍କା ଯିବା ଘଟଣାକୁ ନେଇ ସେ ପୋଲିସ ନିକଟକୁ ଯାଇଛନ୍ତି । ଏଥିପାଇଁ ଏନଜିଓ ପକ୍ଷରୁ ଇନ୍ଦୋର ପୁଲିସ୍‌ ନିକଟରେ ଗୋଟିଏ FIR ଦାଖଲ କରାଯାଇଛି।

ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶର ୨୨ଟି ରାଜ୍ୟରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜନ ଆଶୀର୍ବାଦ ପଦଯାତ୍ରା କରାଯାଉଛି। ଏହିକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଇନ୍ଦୋରରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିଲା।

ଏହି ଯାତ୍ରା ପାଇଁ ପୂର୍ବତନ ପୌରପାଳିକା କର୍ପୋରେଟର ରାମଦାସ ଗର୍ଗ ଗୋଟିଏ ଘୋଡ଼ାକୁ ଭଡ଼ାରେ ଆଣିଥିଲେ। ଏବଂ ସେ ଘୋଡ଼ାକୁ ଆଣିବା ପରେ ତା’ର ପୂରା ଶରୀରକୁ ବିଜେପି ପତାକାରେ ରଙ୍ଗୀନ କରାଯାଇଥିଲା। ଘୋଡ଼ା ଦେହରେ କମଳା, ସବୁଜ ରଙ୍ଗ ବୋଳା ଯିବା ସହ ପଦ୍ମ ମଧ୍ୟ ଅଙ୍କା ଯାଇଥିଲା। ତା’ ଶରୀରରେ ବିଜେପି ମଧ୍ୟ ଲେଖାଯାଇଥିଲା। ଘୋଡ଼ାଟି ଏପରି ଅବସ୍ଥାରେ ଯାତ୍ରାରେ ସାମିଲ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧ ସୃଷ୍ଟି ହୋଇଥିଲା।

ବିଜେପି ସାଂସଦ ମାନେକା ଗାନ୍ଧିଙ୍କ ଏନଜିଓ ପୁଲିସ୍‌ରେ ଅଭିଯୋଗ କରି The Prevention of Cruelty to Animals Act, 1960ରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛି। ଏଥିସହ ସେମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।

Related Posts