ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ଟି ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁ ଫାଇଲରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜଭବନ କାର୍ଯ୍ୟାଳୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏସବୁ ଫାଇଲରେ ସାମ୍ବିଧାନିକ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିନାହାଁନ୍ତି।ତେଣୁ ସମସ୍ତ ଫାଇଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫେରସ୍ତ କରାଯାଇଛି।
ସୂଚନାନୁସାରେ, ଉପରାଜ୍ୟପାଳଙ୍କ ହାଉସକୁ ସ୍ବାକ୍ଷରିତ ହୋଇନଥିବା ଫାଇଲ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉପରାଜ୍ୟପାଳ ସକ୍ସେନାଙ୍କ ତରଫରୁ ଏକ ଚିଠି ମଧ୍ୟ ଲେଖାଯାଇଛି ଯେଉଁଥିରେ ସମସ୍ତ ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ କରାଯିବା ଉଚିତ ବୋଲି କୁହାଯାଇଛି। ଏହି ସମୟରେ ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସହ ଜଡିତ ମାମଲାରେ ଉରାଜ୍ୟପାଳ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁଯାୟୀ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ପକ୍ଷରୁ ମିଳିଥିବା ରିପୋର୍ଟ ଉପରେ ଭିଜିଲାନ୍ସ ବିଭାଗର କାର୍ଯ୍ୟରେ ଅଢ଼େଇ ବର୍ଷ ବିଳମ୍ବ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କରେ ସିଭିସି ୧୭ ଫେବୃଆରୀ ୨୦୨୦ ରେ ଭିଜିଲାନ୍ସ ବିଭାଗରେ ରିପୋର୍ଟ ଦାଖଲ କରିଥିଲେ।
