ଓଏସ୍ଏସସି ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗିରଫ ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ତାଙ୍କ ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ମୋଟ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଛି। 

ଶୁକ୍ରବାର ବିରଞ୍ଚିଙ୍କର ରାଜଧାନୀ ଭୁବନେଶ୍ୱର ଓ କଟକ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ରେଡ୍ ସମୟରେ ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଜବତ କରାଯାଇଛି। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା। 

ସୂଚନା ମୁତାବକ ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ  ଆବେଦନ ପତ୍ର ଓ ଆଡ୍‌ମିଟ୍ କାର୍ଡ ଜବତ କରାଯାଇଥିଲା। ଏହା ବ୍ୟତୀତ ୧୪ଟି ପ୍ଲଟ୍ ଓ ୨ଟି ଡବଲ ମହଲା ବିଲଡିଂ ସମେତ ମୋଟ ୪ଟି ଘର ଠାବ ହୋଇଥିଲା। 

ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମୋଟ ନଗଦ ୨୫ ଲକ୍ଷ ଟଙ୍କା ମଧ୍ୟରୁ ତାଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ଜବତ କରାଯାଇଥିଲା। ଏହା ବ୍ୟତୀତ ସେ ବିଦେଶ ଗସ୍ତ କରିଥିବା ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଭିଜିଲାନ୍ସ ଜବତ କରାଯାଇଛି। 

ବିରଞ୍ଚିଙ୍କ ଭଳି ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଏତେ ଟଙ୍କା କେଉଁଠୁ ଆଣିଲେ, ଏବେ ତାକୁ ଚର୍ଚ୍ଚା ଜୋର ଧରିଛି। ଚାକିରି ପାଇଁ ପିଲାଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ସନ୍ଦେହ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ଏ ଦିଗରେ ତଦନ୍ତ କରାଯାଉଛି।

ଶୁକ୍ରବାର ହୋଇଥିବା ଏହି ଚଢାଉରେ ଭିଜିଲାନ୍ସ ଏସ୍‌ପିଙ୍କ ସହ ୪ ଜଣ ଡିଏସ୍‌ପି, ୧୩ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ହୋଇଥିଲେ।

Related Posts